ପ୍ରେମ
ପ୍ରେମ


ଶିଶିର ବିନ୍ଦୁରେ ଓଦା ଗୋଲାପକୁ
ଭ୍ରମର ଲାଜେଇ କହେ,
ପ୍ରେମ ପରଶରେ ଭିଜ ଆଉଥରେ
ସ୍ପର୍ଶିବିକି ତବ ଦେହେ ।
ସମୀରେ ଦହଲି ଅନୁମତି ଦିଅ
ପ୍ରଣୟ ପାଇଁ ପ୍ରେୟସୀ ,
ଚୁମ୍ବିବାକୁ ଥରେ ତମ ନାଲି ଓଷ୍ଠେ
ବ୍ୟାକୁଳ ମୁଁ ଦିବା ନିଶି ।
ଉତ୍ତରେ ଗୋଲାପ ଭ୍ରମରକୁ ଚାହିଁ
କହେ ଶୁଣ ପ୍ରେମ ସଂଜ୍ଞା ,
ବସୁନ୍ଧରା ରାଣୀ କୋଳରେ ମୁଁ ଆଜି
ସ୍ନେହ ପ୍ରେମେ ଅଛି ବନ୍ଧା ।
ପ୍ରେମ ପ୍ରତୀକ ମୁଁ ଉପାଧି ସଞ୍ଚିଛି
ବାଣ୍ଟି ମାଧୂର୍ଯ୍ୟତା ସ୍ନେହେ ,
ପାଖୁଡ଼ା ପରଶେ ଜଗତ ଯାକର
କ୍ଲେଶ ପାଶୋରି ଯାଏ ।
ଧରିତ୍ରୀ ରେ କେହି ପାରିବେନି ବଞ୍ଚି
ହୃଦୟେ ନଥିଲେ ପ୍ରେମ ,
ପ୍ରେମ ଚିରନ୍ତନ ପ୍ରେମ ପରମାତ୍ମା
ପ୍ରେମ ସତ୍ୟ ଶିବ ଧର୍ମ ।
ପିତା ପୁତ୍ର କନ୍ୟା ପ୍ରେମ ସମ୍ପର୍କରେ
ପରସ୍ପର ଏଠି ଛନ୍ଦା ,
ଜନନୀ ଭଗିନୀ ଭ୍ରାତା ପୁଣି ଜାୟା
ମମତା ଡୋରୀରେ ବନ୍ଧା ।
ଜୀବନ ବାଟରେ ଅଚିହ୍ନା ମଣିଷ
ପ୍ରେମେ ଆତ୍ମୀୟ ପାଲଟେ ,
ଅମୃତର ବିନ୍ଦୁ ପତି ପତ୍ନୀ ପ୍ରେମ
ଆଶା ଭରଷା ସାଉଁଟେ ।
ଭାଇ ଭଉଣୀର ପ୍ରେମର ଖିଅ ଟି
ରକ୍ଷା ବନ୍ଧନେ ସାଇତା ,
ସ୍ଵାର୍ଥର ଆଶଙ୍କା ଆସେନାହିଁ ଏଠି
ନିର୍ମଳ ସତେ ମମତା ।
ଅନ୍ତର କୋଣରେ ଲୁଚି ବସି ଥାଏ
ପ୍ରେମ ସତ୍ୟ ନିରାକାର ,
ହୃଦୟ ଅମ୍ବରେ ବାଦଲ ହଟାଇ
ପିନ୍ଧାଏ ଶାନ୍ତିର ହାର ।