ପ୍ରେମ
ପ୍ରେମ
ପ୍ରେମ ମସଗୁଲ ଏକାନ୍ତରେ କେବେ ଖୋଜୁଥାଏ କେବେ ସଙ୍ଗ
ଅନ୍ଧାର କୋଳରେ ପ୍ରେମ ଖୋଜେ ପୁଣି ଇନ୍ଦ୍ରଧନୁ ସାତରଙ୍ଗ ।
ପ୍ରେମ ଆଙ୍କେ ଛବି ମନ କାନଭାସେ ଜାଳି ଖୁସି ଦୀପଟିଏ
ନିଜେ ହଜି କେବେ ନିଜକୁ ଖୋଜିବା ପ୍ରେମର ସଉକ ଟିଏ ।
ପ୍ରେମ ନାଚିପାରେ ନାଟ ମଣ୍ଡପରେ ମିଠା ମିଠା ଗୀତ ଗାଇ
ପୂଣ୍ୟ ପାହାଚରେ ପ୍ରେମ ବିଞ୍ଚି ହୁଏ ଖୁସିର ମୂରୁଜ ହୋଇ ।
ପ୍ରେମର ବେହାଗେ ଭୁଲି ହୋଇଯାଏ ଯନ୍ତ୍ରଣାର ଯେତେ ଭୋକ
ପ୍ରେମର ଦୟଣା ଦେଇ ବି ପାରଇ ଅଭାବି ହାତରେ ସୁଖ ।
ପ୍ରେମ ମଧୁମତୀ ଫୁଲ ପାଖୁଡାରେ ଅଳିର ଅଳପ ଛୁଆଁ
ସମ୍ପର୍କର ମିଠା ଆଳାପରେ ପ୍ରେମ ହୃଦୟେ ଜାଳଇ ନିଆଁ ।
ପ୍ରେମ ମରତର ଅମରାବତୀଟେ ମାଆର ପଣତ ପାଶେ
ପରଦେଶୀ ଚିଠି ଫର୍ଦ୍ଦପରେ ପ୍ରେମ ମହମହ ହୋଇ ବାସେ ।
ଦାରୁଣ ନିଦାଘେ ପ୍ରେମ ଆଙ୍କିଦିଏ ମୌସୁମୀ ମେଘର ଆଶା
ଦରୋଟି ଓଠର ହସରେ ତ ପ୍ରେମ ମମତାର ପରିଭାଷା ।
ପ୍ରେମ ସମ୍ମୋହନ ଖୁସିର ଫଲଗୁ ପ୍ରାଣ ପ୍ରାଚୁର୍ଯ୍ୟରେ ଭରା
ଶବ୍ଦାହତ ମନେ ପ୍ରେମ ଯେ ଖେଳାଏ ପ୍ରଶାନ୍ତିର ଦିବ୍ୟ ଧାରା ।
ପ୍ରେମ ସଞ୍ଜିବନୀ ବିଭୋରପଣରେ ସତେକି ନିଏ ଆଶ୍ଳେଷି
ଆତ୍ମୀୟଟେ ପରି ପ୍ରେମ ବାଣ୍ଟୁଥାଏ ଅନୁରାଗ ଦିବାନିଶି ।
