STORYMIRROR

sushama Parija

Romance

3  

sushama Parija

Romance

ପ୍ରେମ

ପ୍ରେମ

1 min
495

ପ୍ରେମ ଏକ ଭିନ୍ନ ଋତୁ 

ଯାଯାବର ପରି ତା'ର ନଥାଏ ଠିକଣା, 

କେବେ ଆସେ କେବେ ଯାଏ

କେବେ ଅବା କା'ରେ କରେ ପଥବଣା।।

ପ୍ରେମ ଏକ ଅମାନିଆ ଚଇତି ପବନ

କେବେ ଛୁଇଁ ଦେଇ ସଜାଏ ଜୀବନ

ଆଉ କେବେ ନିଜ ଠାରୁ ନିଜକୁ ବି

ଛଡେଇ ନେଇ ଫିଙ୍ଗିଦେଇ ପାରେ

କାହିଁ କେଉଁ ସାତ ଦରିଆ ସେପାରେ।।

ପ୍ରେମ ଏକ ଅନାହତ ବଂଶୀସ୍ୱନ 

ରାଧାକୁ ,ମୀରାକୁ ଉଦ୍ ବୁଦ୍ଧ କରିପାରେ

ସାରା ପୃଥିବୀର ଈର୍ଷା, ଆକ୍ରୋଶକୁ 

 ଅନାୟାସରେ ପ୍ରତିହତ କରିବା ପାଇଁ 

ଅକ୍ଳେଶରେ ପିଇ ଯିବାକୁ ବିଷର ପିଆଲା ।।

ପ୍ରେମ ଗୋଟେ ଅନ୍ଧ ଦିଗନ୍ତ

ସେ ଦେଖେନା ସ୍ଥାନ, କାଳ, ପାତ୍ର, ଐଶ୍ବର୍ଯ୍ଯ, 

ପରବାୟ ବି ନଥାଏ ତା'ର ପରିଣତିକୁ,

ଆଖି କି କାନରେ ମାପେ ନାଇଁ ମଣିଷକୁ,

ହୃଦୟକୁ କେବଳ ହୃଦୟରେ ହିଁ ମାପିପାରେ ।।

ପ୍ରେମ ଗୋଟେ ଦୂର ଆକାଶରେ ଆପଣା ଛାଏଁ 

ସାତ ଚକ୍କର ମାରି ଉଡୁଥିବା ଗୁଡି 

ଯାହାର ସୂତା କି ନଟେଇ ନଥାଏ କାହାରି ହାତରେ

ସିଏ ନିଜେ ଜାଣେ ନାହିଁ ନିଜର ଠିକଣା ।।

ପ୍ରେମ ଗୋଟେ ନିହାତି ଅଳସୀ ନଈ

ଚିତି ସାପଟେ ପରି ନହକା ଦେହଟା ତାର

ବାର ବାର ଭିଡିମୋଡି ହୋଇ କଡ ଲେଉଟାଏ  

କେବେ ପୂର୍ଣ୍ଣ ଗର୍ଭା ତ କେବେ ମଲାନଈ ହୁଏ।।

ପ୍ରେମଟା କୋଉଠି ବି କେବେ ବି କାହା ସାଥିରେ ବି 

ହୋଇପାରେ, ଠିକ୍ ଭସା ବାଦଲଟେ ଭଳି 

ଆପଣା ମର୍ଜିର ମାଲିକ, ବେତାଜ୍ ବାଦଶାହ, 

ଚାହିଁଲା ତ ଘନଘୋର ବର୍ଷା , ନ ଚାହିଁଲା ତ 

ଥମ୍ ଥମ୍, ଗୁମ୍ ସୁମ୍ ମେଘ ମେଦୁର ଆକାଶ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance