ପ୍ରେମ ପରିଧି
ପ୍ରେମ ପରିଧି
ପାର୍ଥିବ ସଂସାରେ ପ୍ରେମହିଁ ଲାଗେ, ଅମୃତ ବିଭୁଦତ୍ତ ପ୍ରସାଦ
କାଉଁରୀ ସ୍ପର୍ଶରେ ଅନୁଭୂତ, ସକଳ ବିଷାଦର ଅବସାଦ
ପ୍ରାପ୍ତି ସଫଳତା ପାଇଁ କେତେ ଯେ ପ୍ରତିଦ୍ବନ୍ଦିତା, ବାଦ ବିବାଦ
ଜଡ ଚେତନାରେ ପ୍ରେମ ପାଏ,ପୁଳାଏ କଳୁଷିତ ଅପବାଦ। (୧)
ପ୍ରେମ ପ୍ରାବଲ୍ୟତା ଚାଦର ତଳେ, ପ୍ରଶମିତ ତୋ କାମନା ଅଗ୍ନି
ଅନ୍ତଃକରଣେ ପ୍ରଜ୍ବଳନକରୁ,ଗିରିଗୁହ୍ବେ ଅନୁତାପ ବହ୍ନି
ସ୍ବାର୍ଥର ଉଦୟେ ପ୍ରେମ ଅସ୍ତମିତ, ଚେତନାକି ପାରୁ ଚିହ୍ନି
ଜୀବନ ଗୋଧୂଳି ଘୋଟିଆସେ ଯେବେ,ଶୁଭେ ମୁକ୍ତିର ଶଙ୍ଖ ଧ୍ବନି । (୨)
ଅୟୁତେ ପ୍ରାପ୍ତିରେବି ହତାଶା ଶୂନ୍ଯତା, ଦରାଣ୍ଡୁଛୁ ଆତ୍ମୀୟତା
ନିରୁତା ପ୍ରେମରେ ହିଁ ଜୀବନ ପୂର୍ଣ୍ଣତା, ଜୀଇଁବାର ସମ୍ପୂର୍ଣ୍ଣତା
ଉଲକାପାତ ସମ ଇନ୍ଦ୍ରିୟ ସମ୍ମୋହନ, କ୍ଷଣିକ ଉଦ୍ଦାମତା
ପ୍ରେମ ଧ୍ରୁବତାରା, ଭରେ ସମ୍ପର୍କରେ କେତେ ସାନ୍ଦ୍ରତା ଓ ଉଷ୍ମତା । (୩)
ଅମୃତ ସନ୍ତାନ ତୁ, ପୈଶାଚିକ କ୍ଷୁଧା କେବେ କରିବୁ ବର୍ଜନ
ମୃଗତୃଷ୍ଣା ତେଜୀ ,ବସ୍ତୁବାଦୀ ସୁଖ କର ତୁହି ବିସର୍ଜନ
ସ୍ନେହ ଶ୍ରଦ୍ଧା ଭକ୍ତି ବନ୍ଧୁତ୍ବ ଓ ତ୍ଯାଗ, ପ୍ରେମର ଶ୍ରେଷ୍ଠ ନିଦର୍ଶନ
ରାଧା ମୀରା ପୁଣି ଯାମଳା କୁବୁଜା, ଯୁଗ ଯୁଗକୁ ଦିଗ୍ଦର୍ଶନ। (୪)
ପଞ୍ଚଭୂତ ପିଣ୍ଡେ ତୋର, ପ୍ରତିମୁହୂର୍ତ୍ତେ ଅଭିନୟ ସଂସ୍କରଣ
ପେଟରେ ଉବୁଟୁବୁ ଆୟୁଷର ଭୋକ, ଅନ୍ତହୀନ ଅନ୍ବେଷଣ
ପାପ ପୁଣ୍ଯର ସଂଘର୍ଷରେ ତୋର, ପ୍ରେମ ପଞ୍ଚଜନ୍ଯ ଉଚ୍ଚାରଣ
ପ୍ରେମ ବୋଧେ ପୁଣ୍ଯ ପବିତ୍ରତାର, ପଲ୍ଲବିତ ମିଠା ଶିହରଣ। (୫)
ପ୍ରେମ ବିନା ତୋର ନଶ୍ବର ଶରୀର, ଅଲୋଡା ଆତ୍ମା ଟିଏ ମାତ୍ର
ପ୍ରେମ ହିଁ ଏୈକାନ୍ତିକ ଏକାନ୍ତ ନିଜସ୍ବ, ଉର୍ଦ୍ଧ୍ବ ଚେତନାର ଚିତ୍ର
ପଶୁତ୍ବ ଆବୋରି ପ୍ରେମକୁ ପାଶୋରି, ମାନବ ଦୀକ୍ଷା କି ବିଚିତ୍ର!
ଭୂମିରୁ ଭୁମାକୁ ବ୍ଯାପ୍ତ ତା ପରିଧି,ପ୍ରେମ ହିଁ ନିର୍ବାଣର ସୂତ୍ର । (୬)