ପ୍ରେମ ନୁହେଁ କୌଣସି ଏକ ଋତୁ
ପ୍ରେମ ନୁହେଁ କୌଣସି ଏକ ଋତୁ
ପ୍ରେମ ନୁହେଁ କୌଣସି ଏକ ଋତୁ
ଆସୁଥିବ ଯାଉଥିବ ତା' ସମୟ ଅନୁସାରେ
ପ୍ରକୃତିର ନୀତି ନିୟମରେ ବନ୍ଧା ହୋଇ,
ପ୍ରେମ ତ ହୃଦୟର ଶୁଦ୍ଧ ପବିତ୍ର ଭାବ
ସର୍ବକାଳରେ ରହିଥାଏ ଶାଶ୍ଵତ ଚିରନ୍ତନ।
ଏ ପ୍ରେମ ଋତୁରାଜ ବସନ୍ତ ନୁହେଁ
ଫଗୁଣରେ ଆସି ତନୁମନେ ଭରି ଦେବ ରଙ୍ଗ
ଫୁଲର ସମ୍ଭାରରେ ଟାଣି ନେବ ନଜର,
ମୃଦୁ ମଳୟରେ ବିଞ୍ଚି ଦେବ ତା' ମଧୁ ମହକ
ପ୍ରାଣରେ ପୁଲକେ କରାଇବ ଆତ୍ମବିଭୋର
ପୁଣି ସଂଜକୁ ମଉଳି ଝଡ଼ି ପଡି଼ବ ଅକାଳରେ।
ନୁହେଁ ସେ ନିଦାଘର ତପ୍ତ ଝାଞ୍ଜି ଖରା
ଜାଳିବ ଜଳାଇବ ନିଆଁର ଉତ୍ତାପ ଦେଇ
ଚାଲିଯିବ ତା' ଇଚ୍ଛାରେ କ୍ଷତାକ୍ତ ଆହତ କରି,
ଅବା ନୁହେଁ ଶ୍ରାବଣର ବର୍ଷା ଝର ଝର ବର୍ଷି
ବର୍ଷାଉଥିବ ଦୁଇ ଆଖିରୁ ଅସରା ଲୁହ
କି ନୁହେଁ ମାଘର ଛାତିଥରା ହାଡ଼ଭଙ୍ଗା ଶୀତ
ବାନ୍ଧି ରଖିବ ଶରୀରର ଆପାଦ ମସ୍ତକ।
ପ୍ରେମ ତ ପ୍ରାଣର ଚାଲୁଥିବା ନିଶ୍ଵାସ ପ୍ରଶ୍ଵାସ
ତା'ର ପ୍ରବାହରେ ସଞ୍ଚାରିତ ହୁଏ ଜୀବନ
ଜଣାଉଥାଏ ତାର ସତ୍ତା ହୃଦୟର ସ୍ପନ୍ଦନେ,
ଆୟୁଷର ଅବଧି ହୋଇଗଲେ ସମାପ୍ତ
ସଭିଙ୍କ ଅଜାଣତରେ ଚାଲିଗଲେ ଆସେ ମୃତ୍ୟୁ,
ସ୍ଵତନ୍ତ୍ର ରଖେ ବନ୍ଧନରେ ଅବା ମୁକ୍ତରେ
ପ୍ରେମ ଜୀବନ ସହିତ ଓତପ୍ରୋତ ଭାବେ ଜଡ଼ିତ।
ଜନ୍ମରୁ ମିଳେ ମା'ଠାରୁ ଅପର୍ଯ୍ୟାପ୍ତ ଅସରନ୍ତି
ଆତ୍ମୀୟସ୍ଵଜନ ସଂପର୍କୀୟ ବନ୍ଧୁ ବାନ୍ଧବଙ୍କଠାରୁ
ବୟସ କ୍ରମରେ ସମାଜର କୋଣ ଅନୁକୋଣରୁ,
ମିଳୁଥାଏ ଜଣକର ଗୁଣ ଚରିତ୍ରର ବିନିମୟେ
ଏ ପ୍ରେମରେ ନଥାଏ କିଛି ବି ମିଶ୍ରିତ ଖାଦ
ପ୍ରତାରଣା ଦେଇ କରିବ ତାର ସ୍ବାର୍ଥ ପୂରଣ।
ହୁଏନା କେବେ କଳୁଷିତ ଆଣେନା ବିଷାଦ କିଛି
କାମିନୀ କାଞ୍ଚନର ମୋହ ମାୟାରେ ପଡ଼ି
ପ୍ରେମ ନୁହେଁ ଭାବ ପ୍ରବଣତାର ଓଳିକ ଆବେଗ,
ନାରୀ କି ପୁରୁଷ ସହିତ ଶାରୀରିକ ସଂପର୍କକୁ
ଭାବି ନେଲେ ପ୍ରେମ ଆସେ ଦ୍ଵନ୍ଦ ଜନ୍ମେ ବିକାର।
ପ୍ରେମ ଅନାବିଳ ନିଷ୍କଳଙ୍କ ସ୍ଵଚ୍ଛତାର ପରିପ୍ରକାଶ
ଏ ତ ସ୍ୱର୍ଗୀୟ ରହିଥାଏ ଜନ୍ମ ଜନ୍ମାନ୍ତର ଯାଏଁ
ପ୍ରକୃତ ପ୍ରେମ ରହିଥାଏ ଚିର ଅମର ଅକ୍ଷୟ
କାହାରି ଶକ୍ତି ନାହିଁ ପ୍ରେମକୁ କରିବ ଅନ୍ତ
କେବେ ବି ପ୍ରେମ ନୁହେଁ କୌଣସି ଏକ ଋତୁ
ବହୁ ରୂପ ନେଇ ବଦଳୁଥିବ ଥରକୁ ଥର
ସମୟ କ୍ରମେ ଦୂରେଇ ଯିବ ଅନ୍ତର ଭିତରୁ।

