ପ୍ରେମ ନେଇଛି ନିର୍ବାଣ
ପ୍ରେମ ନେଇଛି ନିର୍ବାଣ
ସହରଟା ସାରା ଉଠୁଛି ପଡୁଛି
ପ୍ରେମକୁ ପାଇବା ପାଇଁ ,
ଚାରିଆଡେ ଖାଲି ବେପାରୀଙ୍କ ଭିଡ଼
ପ୍ରେମ ବା ମିଳିବ କାହିଁ ?
ବିଭତ୍ସ ରଙ୍ଗର ବିକୃତ ତୂଳୀରେ
ପ୍ରେମର ସଂଜ୍ଞାକୁ ଫାଙ୍କି ,
ମଣିଷ ଦେଇଛି ପ୍ରେମର ଚିତ୍ରକୁ
ହୀନ ନଜରରେ ଆଙ୍କି !
ମଣିଷର ମନ ପାଲଟି ଯାଇଛି
ନର-ରାକ୍ଷସଙ୍କ ହାଟ ,
ମାନବ ହୃଦୟ ମିଳୁଛି ବା କାହିଁ
ଚାରିଆଡେ ଖାଲି ଫାଟ !
ଏ ସହର ଦିନେ ହସି ଉଠୁଥିଲା
ତା' ଓଠେ ମଧୁ ଝରାଇ ,
ଗାଇ ଯାଉଥିଲା ପ୍ରୀତିର ସଙ୍ଗୀତ
ପ୍ରେମେ ମହମହ ହୋଇ ।
ନୀଳ ସାଗରରେ,ବଉଦମାଳାରେ
ସକାଳ ସଞ୍ଜରେ ପ୍ରେମ ,
ପକ୍ଷୀ କୂଜନରେ,ତରୁ ଲତା ଡାଳେ
ପ୍ରେମ ରଙ୍ଗ ଅନୁପମ !
ଜନନୀ କୋଳରେ ବାତ୍ସଲ୍ୟ ପ୍ରେମର
ମୃଦୁ ମଧୁ ନିର୍ଝରିଣୀ ,
ଭଗିନୀ ପ୍ରାଣର ନିଆରା ପଣତେ
ବନ୍ଧନ ଥିଲା ବନ୍ଦିନୀ !
ବନ୍ଧନ ତ ନୁହେଁ କାହା ହୃଦୟର
ବାଧ୍ୟତାମୂଳକ ସ୍ରୋତ ,
ଦୁଇଟି ପ୍ରାଣର ଆତ୍ମୀୟ ସମ୍ପର୍କ
ଈଶ୍ୱରଙ୍କ ଅଭିପ୍ରେତ !
କାହିଁ ଗଲା ସେଇ ରାଧା କୃଷ୍ଣ ପ୍ରୀତି
ମୀରାର ତ୍ୟାଗ ତର୍ପଣ ,
ମିଛ ମଣିଷର କପଟ ଜାଲରେ
ପ୍ରେମ ନେଇଛି ନିର୍ବାଣ !
ନାହିଁ ପ୍ରେମ ନାହିଁ ପବିତ୍ର ବନ୍ଧନ
ନାହିଁ ମାନବୀୟ ପ୍ରୀତି ,
ବସୁନ୍ଧରା ଆଜି ନିର୍ବାକ୍ ନିସ୍ତବ୍ଧ
ଦେଖି ମଣିଷର ରୀତି ।
ହେ ମାନବ ବନ୍ଧୁ ତୁମେ ପ୍ରେମ ସିନ୍ଧୁ
ଈଶ୍ୱରଙ୍କ ଶ୍ରେଷ୍ଠ ଦାନ ,
ରଚି ଦେଇଯାଅ ମଧୁର ସମ୍ପର୍କ
ଭାବବିହ୍ଵଳ ବନ୍ଧନ !
ବନ୍ଧନରେ କେବେ ଭରିଦିଅ ନାହିଁ
ତୀବ୍ର ହଳାହଳ ବିଷ ,
ଈଶ୍ୱରଙ୍କ ତୁମେ ଅମୃତ ସନ୍ତାନ
ବାଣ୍ଟ ପୁଣ୍ୟର ପୀୟୂଷ !