ପ୍ରେମ ମୂର୍ତ୍ତି
ପ୍ରେମ ମୂର୍ତ୍ତି
ଭାବ ଦେଇ ଯେବେ ଅଭାବ କରିବ
ରାଧା ହୋଇବନି ଗରିବ
ପ୍ରେମ ପୂଜାରିଣୀ ରାଧା ଆହ୍ଲାଦିନୀ
ମାଧବ ହିଁ ରାଧା ବିଭବ ।
ରୂପରେଖ ନାହିଁ ରାଧା ଶୂନ୍ୟ ଦେହୀ
ଗୋପପୁର ରାଈ ଜେମା
ତା ବିହୁନେ ଶୂନ୍ୟ ନିରବ ନିଶ୍ଚଳ
ପ୍ରକୃତି ଭାବ ଚେତନା ।
ଅଷ୍ଟପାଟବଂଶୀ ବିଳାସ ପ୍ରାସାଦ
ଭାବ ବିନା ସବୁ ତୁଚ୍ଛ
ତୋଳି ପାରିବନି ରାଗ ପଞ୍ଚମକୁ
ବଂଶୀ ଅନୁଚ୍ଚାଟ ରିକ୍ତ ।
ଭାବକୁ ନିକଟ ଅଭାବକୁ ଦୂର
ପ୍ରେମ ସତ୍ୟ ଚିରନ୍ତନ
ପ୍ରେମ ଅପ୍ରାକୃତ ରାଧା ଅନୁଭବୀ
ବଂଶୀର ଅମୃତ ସ୍ୱନ ।
ନାହିଁ ଜରା ମୃତ୍ୟୁ ସନାତନ ନିତ୍ୟ
ପ୍ରେମ ଜଗତରେ ସାର
ପ୍ରେମାନନ୍ଦେ ମନ ଉଲ୍ଲାସ ବିଭୋର
ପ୍ରେମ ବିଭୂତି ଅପାର ।
ରାଧା ପୂର୍ଣ୍ଣମାସୀ କୃଷ୍ଣ ପୂର୍ଣ୍ଣକାମ
ସାକ୍ଷୀ ପୂର୍ଣ୍ଣ ଫଗୁ ଜହ୍ନ
ଅବିର ରଙ୍ଗରେ ପରମ ଆରାଧ୍ୟ
ପ୍ରେମମୂର୍ତ୍ତି ରାଧାକୃଷ୍ଣ ।
--------

