STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ପ୍ରେମ କବିତା

ପ୍ରେମ କବିତା

1 min
199

ଶୁଣିଲି ଆଜିକାଲି ଆଉ ପ୍ରେମ

କାଳେ ହେଉନି ଛାଏଁ ଛାଏଁ

ବାଟରେ ଯାଉ ଯାଉ

ଅବା ପହିଲି ଦେଖାରେ

ହୃଦୟ ଆଉ କମ୍ପି ଉଠୁନାହିଁ

ଚାରି ଚକ୍ଷୁର ମିଳନରେ

ମୃଦୁ ମୃଦୁ ଭୂକମ୍ପ ସୃଷ୍ଟି ହେଉନାହିଁ

ପ୍ରେମୀଯୁଗଳଙ୍କ ଅଷ୍ଟାଙ୍ଗ ଶରୀରରେ

ଲୋମକୂପ ସବୁ ଉଛୁଳି ପଡୁନାହାଁନ୍ତି

ଅଜଣା ଉଦବେଳନରେ !

ନଈପଠା ଆମ୍ବତୋଟା ଧାନକ୍ଷେତ

ଜହ୍ନରାତି ବର୍ଷା ବସନ୍ତ

ସବୁ ତ ହୋଇଛି ଉଭାନ୍

ପ୍ରେମୀ ଯୁଗଳ ବାୟା

ଯାନ୍ତ୍ରିକ ମାୟାଜାଲରେ

ଗୋପନ ଅଭିସାର ପାଇଁ

ଚାଲିଛି ବହୁ ପୂର୍ବରୁ ପ୍ରସ୍ତୁତି

ଫୋନ୍.ରେ ଅତ୍ଯାଧୁନିକ ପ୍ରଣାଳୀରେ

ସଂଗଣକ ମଧ୍ୟସ୍ଥି ମାଧ୍ୟମରେ

ନାନାଦି ଫନ୍ଦିଫିକରରେ !

ଭଲ ପାଇବାକୁ ଆଜି ଚାଲିଛି

କେତେ ମାପଚୁପ ଅଙ୍କକଷା

ହିସାବ କିତାବ ଲାଭ ଓ କ୍ଷତିର

ତଉଲୁଛି ମନ ଆପଣାର ମୂଲ

ଅପବାଦ ଭରା ବଜାରେ

ପାଲଟିଛି ପ୍ରେମ ଆଜି

ଦେବା ନେବାର ବେଭାର !

କବି ବି ଲେଖୁନି ଆଉ

ନିରୁତା ପ୍ରେମର କବିତା

ସେଇ ଘଷାପିଟା ଚର୍ବିତ ଚର୍ବଣ

ଚୁମ୍ବନ - ଆଲିଙ୍ଗନ - ମୈଥୁନ

ପ୍ରେୟସୀର ସୌନ୍ଦର୍ଯ୍ୟ ବର୍ଣ୍ଣନା

ପ୍ରଣୟ ପ୍ରତାରଣାର ତାଡ଼ନା

ଲେଖି ଲେଖି ଥକି ପଡିଲାଣି

ତାହାର ମୁଖର ଲେଖନୀ !

ଭିନ୍ନ କିଛି ଲେଖୁନ କାହିଁକି?

ପଚାରିଲେ ଦିଅଇ ଉତ୍ତର

ସୃଷ୍ଟିର ଦ୍ବିତୀୟ ଈଶ୍ବର

ବିଷର୍ଣ୍ଣ ଉଦାସ ବଦନେ

ତା'ର ପାଶେ କୁଆଡ଼େ

ଭାଷା ଭାବ ତତ୍ତ୍ଵ ସହ

ଅନୁଭୂତିର ଅଭାବ ଘୋର

ତଥାପି ପ୍ରସିଦ୍ଧି ଲାଭାର୍ଥେ

ସଦାସର୍ବଦା ବିଶେଷ ତତ୍ପର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract