STORYMIRROR

Chinmaya Kumar Nayak

Romance

3  

Chinmaya Kumar Nayak

Romance

ପ୍ରେମ : ଏକ ସାଧନାଟିଏ

ପ୍ରେମ : ଏକ ସାଧନାଟିଏ

1 min
188

ଆସକ୍ତି ଅପିତ୍ତେ ପ୍ରଜ୍ଵଳିତ ହୁଏ

ମନ ସଘନ ବିପିନ,

ଅସଂଖ୍ୟ ଆଶଂସା ଧୂମ୍ର ଅଭିଳାଷେ

ହଜିଯାଏ ମଧୁବନ।।

ପ୍ରେମର ମୁକୁଳ ଫୁଟିବା ଆଗରୁ

ମୋହ-କୀଟଦ୍ରଂଷ୍ଟ ହୁଏ,

ସୁବାସ ସମୀର ବହିବା ଆଗରୁ

ପ୍ରସୂନ ପତିତ ହୁଏ।।

ନଥାଏ ପ୍ରାପ୍ତିର ମିଥ୍ୟା ପ୍ରବୋଧନା

ବିଶୁଦ୍ଧ ପ୍ରେମ ସୁମନେ,

ବାନ୍ଧି ରଖିବାର ଅଦମ୍ୟ ଅଭୀପ୍ସା

ନଥାଏ ହୃଦ ପାଷାଣେ।।

ତ୍ୟାଗ ବିନା ପ୍ରେମ ଅଳକାନନ୍ଦାରେ

ଉଠେନା ଭାବର ବୀଚି,

ପ୍ରୀତି ସରିଯାଏ ରିକ୍ତ କାମନାରେ

କ୍ଷଣେ ଭାଙ୍ଗିଯାଏ ରୁଚି।।

ଇନ୍ଦୀବର କେବେ ଦୂରେ ଥାଇ କିବା

ତପନେ ବିମୁଖ ହୁଏ,

ଅସମ୍ଭବ ଜାଣି ମିଳନ ଶଶାଙ୍କେ

କୁମୁଦ କି ଦୁଃଖୀ ହୁଏ !!

ପ୍ରେମ ନୁହେଁ କେବେ ମିଳନ ପିଆସୀ

ଭୋଗର ମଧୁ ମେଲଣ,

ପ୍ରେମ ଏକ ଲୟଯୋଗର ସାଧନା

ମିଳେ ଯାତନା କଷଣ।।

ବାଞ୍ଛା ଥାଏ ବୋଲି ଭାଙ୍ଗିଗଲେ ସିନା

ଅଧିରେ ହୃଦୟ କାନ୍ଦେ,

ବିଶ୍ୱାସ ନଥିଲେ ନିଜ ପ୍ରେମ ପରେ

ଛଳନା ନାମରେ ନିନ୍ଦେ।।

ପ୍ରେମ ନୁହେଁ କେବେ କ୍ଷଣ ଘନବଲ୍ଲୀ

ଅଲିଭା ଦୀପାଳିଟିଏ,

ଘୋର ଦୁର୍ଦ୍ଦିନରେ ଜାଳି ରଖିବାର

ଅକ୍ଷତ ତପସ୍ୟାଟିଏ।।

ନିରାସକ୍ତ ଚିତ୍ତେ ଭାବ ଶୈବାଳିନୀ

ପୁତ ତ୍ରିପଥଗା ହୁଏ,

ଶତ ଛଳନାର ଦୂଷିତ କାଳିମା

ସେ ସଲିଳେ ଧୋଇଯାଏ।।

ପ୍ରେମ ଏକ ଚାରୁ କୁସୁମ କାନନେ

ସୁବାସିତ ଗନ୍ଧବାହ,

ସମ୍ମୋହନେ ତାର ବିତିଯାଉ ଧୀରେ

ଜୀବନ ମୃଦୁ ପ୍ରବାହ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance