STORYMIRROR

Pratibha Priyadarshini

Romance Tragedy

3  

Pratibha Priyadarshini

Romance Tragedy

ପ୍ରେମ, ଏକ ବିକୃତି କି

ପ୍ରେମ, ଏକ ବିକୃତି କି

2 mins
316


ମୁଁ ଯେବେ କହିଲି

ମୋତେ ଭଲପାଇବା କୁ ଭଲଲାଗେ,

କେହି କହିଲେ ତୁ ଟା ଚରିତ୍ରହୀନ

କାହାକୁ ଲାଗିଲି ସହଜପ୍ରାପ୍ୟ

ପୁଣି କେହି ତଉଲି ବସିଲା

ମୋ ବୈବାହିକ ସମ୍ପର୍କର ଗଭୀରତା ଓ ସ୍ଥାୟୀତ୍ୱ,

କେତେକଙ୍କୁ ଲାଗିଲା

ଏହା ମୋର ମାନସିକ ବିକୃତି।


ଯାହାଙ୍କୁ ନିଜର ଭାବୁଥିଲି

ସେମାନେ ବି କଲେ ଅବସୋସ

ବୁହାଇଦେଲେ ସମବେଦନା ର ସୁଅ

ଖୁବ ପ୍ରେମ ଦେଖେଇ ବଦଳାଇବାକୁ ଚାହିଁଲେ

ମୋର ଏ ପସନ୍ଦ, ଏ ଇଚ୍ଛାକୁ ।


କିଏ କିଏ ଗୁପୁଚୁପ କାନରେ କହିଲେ,

ଏସବୁ କାଳେ ଗୋପନ ରେ କରନ୍ତି,

କେହି କେହି ସ୍ୱାମୀ ସହ ବିଶ୍ୱାସଘାତ କହିଲେ

ତ ଆଉ କେହି ଦ୍ୱାହି ଦେଲେ

ସନ୍ତାନ ପ୍ରତି ଅବହେଳାର।

କେହି ବୟସର ବିଚାର, କେହି ମୂଖଲଜ୍ଜା

ତ ଆଉକେହି ଶିଖେଇଲେ

ନାରୀତ୍ବ ଓ ମର୍ଯ୍ୟାଦାର ପାଠ।


ପିଲାଦିନେ ବୋଉ ଶିଖେଇଥିଲା

ଭାଇ ଭଉଣୀ ଙ୍କୁ ଭଲ ପାଆ,

ବାପାଙ୍କ ଉପରେ ବି ଅନାୟାସ ଶ୍ରଦ୍ଧା ଜାଗେ

ଅଜା, ଆଇ, ଜେଜେ, ଜେଜେମା,

ମାମୁଁ, ଦାଦା, ପିଉସୀ, ମାଉସୀ,

ସାଙ୍ଗ ସାଥି, ବୃଦ୍ଧ, ଭିକାରୀ ଓ ସାଧୁସନ୍ଥ,

ସଭିଙ୍କୁ ସ୍ନେହ ବାଣ୍ଟିଥିଲି।

ଗଛ, ଲତା, ନଦୀ, ପାହାଡ଼,

ଦେଶ, ଧର୍ମ, ନୈତିକତା କୁ ପ୍ରେମ କରିବା

ଶିଖିଲି ଶିକ୍ଷିକଙ୍କ ଠାରୁ।

ବହି, ବୟସ୍କ, ରୋଗୀ ଆଉ ଦୀନଦୁଃଖୀଙ୍କୁ

ପ୍ରେମ କରିବା ଶିଖେଇଲେ

ପ୍ରେମଚାନ୍ଦଙ୍କ ବୁଢ଼ୀ କାକୀ,

ଫକୀର ମୋହନଙ୍କ ଭଗିଆ ସାରିଆ

ଏବଂ ଗୋପବନ୍ଧୁ ଙ୍କ କବିତା ମାନେ।


ତା ପରେ ଶିଖିଲି ମୁଁ ହସକୁ ଭଲ ପାଇବା

ହସହସ ମୁହଁସବୁ ମନକୁ ଛୁଇଁଲେ।

ତିକ୍ତତା କୁ ପଛକରି ବଞ୍ଚିବାକୁ ମନକଲି।

ଢେର ପ୍ରେମ ଥିଲା ମୋ ପାଖେ ବାଣ୍ଟିବାକୁ

ଖୁବ ଲୁଟେଇଲି

ବାପଘର, ଶାଶୁଘର, ସ୍ୱାମୀ, ପିଲା,

ବନ୍ଧୁ, ବାନ୍ଧବ, ପରିଚିତ, ଅପରିଚିତ ଙ୍କ ଉପରେ

କାହାକୁ ଭଲ ଲାଗିଲା

ପୁଣି କାହାରିକୁ ଗନ୍ଧହେଲା, ଅଡୁଆ ଲାଗିଲା।


ହଠାତ ଦିନେ ଏମିତି ହିଁ

ନିଜ ଉପରେ ନିଜକୁ ଖୁବ ଶ୍ରଦ୍ଧା ହେଲା

ନିଜଆଡକୁ ବଢ଼େଇଲି ସ୍ନେହର ହାତଟେ।

ଧରାଶାୟୀ ହେଲା

ପ୍ରେମର ଯେତେସବୁ ସ୍ଥାପିତ ସଂଜ୍ଞା।


କିଏ ୟାକୁ ସ୍ୱାର୍ଥ କହିଲା

ତ ଆଉ କିଏ ବିକାର,

ଖୁବ ବୁଝେଇଲେ ପ୍ରେମର

ସବୁତକ ଧରାବନ୍ଧା ନୀତି ଓ ନିୟମ।

ମୁଁ ନିଜକୁ ଭଲପାଇବା

ଅସ୍ବୀକାର କଲେ ସମସ୍ତେ

ମୋତେ ବୁଝେଇଲେ, ପ୍ରେମ କାଳେ

କେବଳ ଅନ୍ୟକୁ କରାଯାଏ,

ନିଜକୁ ନିହେଁ,

ପ୍ରେମ କରିବାକୁ କାରଣଟେ ନିହାତି ଲୋଡ଼ା

ଅକାରଣ ହୋଇପାରେନା ପ୍ରେମ।

ପ୍ରେମରେ ପ୍ରେମର ମାତ୍ରା କମ ହେଉପଛେ

ଅଭିନୟ ଦମଦାର ହେବା ଦରକାର।


ମୁଁ କିନ୍ତୁ କହିବି ସଭିଙ୍କୁ,

ପ୍ରେମ କର ପ୍ରଥମେ ନିଜକୁ

ପ୍ରେମ ହେଉ ବିଶୁଦ୍ଧ, ନିରୁତା

ପ୍ରେମ ହେଉ ଆତ୍ମାପରେ ଅଙ୍କା ଚିତା।


କହିବି,

ପ୍ରେମ ନୁହେଁ ବିକୃତି

ସ୍ବପ୍ନଟେ ସାକାର ନହେଲେ

ଅବା ଅସମୟେ ତୁଟିଗଲେ,

ତାକୁ ଆମେ କାହିଁକି ବା

ବିକାର କହିବା।!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance