STORYMIRROR

Pratibha Priyadarshini

Others

3  

Pratibha Priyadarshini

Others

ଭଙ୍ଗାମନ ଓ ଓସ୍ତଗଛ

ଭଙ୍ଗାମନ ଓ ଓସ୍ତଗଛ

1 min
287


ଧୂଳିଗୋଳା ଦେହ

ଲୁହବୋଳା ମୁହଁ

ଓ ଭଙ୍ଗା ଦଦରା ମନକୁ ସାଉଁଟି

ମାଟି ଛାତିରେ ଭରାଦେଇ

ଉଠି ଠିଆହେବାକୁ ଖୁବ୍ ପ୍ରୟାସ କରୁଥାଏ ମୁଁ...


ଏଇଠି,

ଏଇ ତାଙ୍କ ସ୍ବପ୍ନର ଉଆସ

ରାଣୀ ହଂସପୁର ସାମ୍ନାରେ,

ମୋ ହାତ ଛିଞ୍ଚାଡି

ଯେବେଠୁ ଯା' ବୋଲି କହିଲେଣି

ସେବେଠୁ ମାଟିକାମୁଡ଼ି ପଡିଯାଇଛି ମୁଁ।

ଏଇଠି ଧୂଳିମାଟିରେ ଥାଇ ଏକାତ୍ମ ହେଲି

ମୋ ଭିତର ସ୍ୱଚ୍ଛ ମୋ ଆତ୍ମା ସହିତ।

ତାକୁ ସ୍ନେହରେ ଚାହୁଁ ଚାହୁଁ

ସେ ଆଦରରେ ତୋଳିନେଲା,

ହାତଧରି ଠିଆକଲା ସିଧା।

ପୋଡାମନ ପୀଡ଼ାରେ ମରହମ ଦେଉ ଦେଉ

ଦେଖାଇଲା ମହଲ ଛାତକୁ।


କେତେ ଉଚ୍ଚ ମହଲ କାନ୍ଥରେ

ମାଟିଠୁ ଶହେ ଫୁଟ ଉର୍ଦ୍ଧ୍ବରେ

ବାହାରିଛି ଶାଗୁଆ ପତ୍ରଭରା ଓସ୍ତଗଛଟିଏ।

ପବନରୁ ଶୋଷିନେଉଛି ଆର୍ଦ୍ରତା

ବିନା ମାଟିରେ ବି ଚେର ଲମ୍ବେଇଛି

ଆରମ୍ଭିଛି ସୂର୍ଯ୍ୟ ଆଡେ ଗତି।

ସେ ଉଚ୍ଚତାରୁ ଆହୁରି ଉଚ୍ଚକୁ

ଉଠିଯିବାର ସ୍ୱପ୍ନ ଓ ଜିଦ ନେଇ

ଶୂନ୍ୟେ ଶୂନ୍ୟେ ମାଡି ଚାଲିଛି

ସଗର୍ବେ ମଥା ଉଠେଇ,

ଉପରୁ ଆହୁରି ଉର୍ଦ୍ଧ୍ବକୁ...


ବୋଧି ବୃକ୍ଷରୁ ବୁଦ୍ଧି ପାଇ

ମୁଁ ବି କରିନେଲି ଦୃଢ ଏକ ପଣ,

ଉଠିବି, ଚାଲିବି, ଆଗକୁ ବଢିବି,

ସାଧନାର ପଥଧରି ଏକାଗ୍ର ମାନସେ।

ଉଚ୍ଚତର ଆୟମ ଯାଏଁ ନେଇଯିବି,

ମୋ ଭିତର ମୁଁତ୍ତ୍ୱକୁ।


ବୁଦ୍ଧ ହେବାର ନାହିଁ ମୋର

ତିଳେମାତ୍ର ଇଚ୍ଛା ବା ଆଗ୍ରହ,

ତୁଟିଯିବ ସବୁତକ ମୋହ

ହୋଇପାରିବି ଯେବେ

ନିଜର ପରିମାର୍ଜିତ ଓ ବିକଶିତ

ନୂତନ ସଂସ୍କରଣ ଟିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍