ପ୍ରେମ ବସନ୍ତ
ପ୍ରେମ ବସନ୍ତ
ଆସି ଚାଲିଯାଏ ଗୋପନେ ବସନ୍ତ
ମୃଦୁପାଦେ ଲୁଚିଛପି
ଜଳୁଥାଏ ଦେହ ବରଷ ତମାମ
ଅତି ଶୀତ ବର୍ଷା ତାତି ।
ଫିକା ପଡିଯାଏ ରଙ୍ଗର ଚମକ
ବହେନି ମୃଦୁ ମଳୟ
ମହକି ପାରେନି ସୁଗନ୍ଧ ସୁରଭି
ଘାରୁଛି ବିଷ ବଳୟ ।
କମୁଛି ଅମଳ ସୁନାର ଫସଲ
ଅଦିନିଆ ବର୍ଷା ଝଡି
ମାଡିଯାଏ ଘାସ ବାଳୁଙ୍ଗା ପ୍ରବଳ
ମୂଳ ପାରେନାହିଁ ବଢି ।
ବଢେ ଅହଙ୍କାର ରୋଗ ମହାମାରୀ
ଦୁର୍ବିସହ ଉତ୍ପୀଡ଼ନ
ହୁଏ କ୍ଷତିଗ୍ରସ୍ତ ବୃତ୍ତି ଆଜୀବିକା
ଜୀବନ ସଙ୍କଟାପନ୍ନ ।
ପ୍ରେମ ଚିରନ୍ତନ ପ୍ରୟାସ ସୁନ୍ଦର
ସାଧନା ଅମୃତ ଦିବ୍ୟ
ଯନ୍ତ୍ର ମାନବର କୃତ୍ରିମ ହୃଦୟେ
ବିମର୍ଷଇ ପ୍ରେମଭାବ ।
ହେଉ ମଧୁମୟ ଜୀବନ ସ୍ୱଚ୍ଛନ୍ଦ
ଗାଅ ପିକ ମୁକ୍ତ କଣ୍ଠ
ଆସ ଋତୁରାଜ ଫୁଲଫଗୁଣରେ
ପ୍ରକଟ ପ୍ରେମ ବସନ୍ତ ।

