ପରଧନ
ପରଧନ
ସୁଖର ଶେଫାଳୀ ପ୍ରଭାତକୁ ବୋଳି
ଝାଉଁଳି ପଡିଛି ତଳେ
ଏବେ ଏଇ ପ୍ରାଣ ବଞ୍ଚିବ ବାପା ହେ
ଜଳି ଜଳି ତିଳେ ତିଳେ ।
କେତେ ଦିନ ଆଉ ସାଇତି ରଖିବ
ପର ଧନ ପରା ମୁହିଁ
ଜନ୍ମରୁ ମରଣ ଯେତେ ଭାଗ ହୁଏ
ପତ୍ରଝଡା ଦେଉ ଥାଇ ।
ନବ କିଶଳୟ ପଲ୍ଲବୀ କିଶୋରୀ
ମନେ ଜାଗେ ନୂଆ ଆଶା
ଆଶା ନୁହେଁ ବାପା ମରୁ ମରୀଚିକା
ଲିଭେ ନାହିଁ କଣ୍ଠ ତୃଷା ।
ତୁମ ଦାନ ଯେତେ ସ୍ନେହର ପୁଟୁଳି
କଟିରେ ଗହଣା ମୋର
ନାଟ ସରି ଗଲା ତୁମ ରାଇଜରୁ
ସାଉଁଟିଲି ଉପହାର ।
ସିନ୍ଥିର ସିନ୍ଦୂର ଶୋଭାର ଭଣ୍ଡାର
ସମ୍ମୁଖେ ଉଜାଣି ନଦୀ
ଜୀବନ ଘାଟକୁ ପାରି ହେବା ପାଇଁ
ପାଦ ରଖେ ମୋତେ ଛନ୍ଦି ।
କନ୍ୟା ଦେଇ ତୁମେ ଅଭିସମ୍ପାତକୁ
କରିବ କି ନିମନ୍ତ୍ରଣ
ପରିଣତ କାଳେ ତୁମ ରଥ ଚଳେ
ଭୂଲିଯିବ ଦେଇ ଦାନ ।
ଗଭୀର କରାଳ ସ୍ରୋତେ କଲ୍ଲୋଳିନୀ
ଇଶାରା କଲାଣି ଦେଖ
ଘାଟରେ ଲାଗିଛି ମୋ ପାଇଁ ତରଣୀ
ଦିଶେ ନାହିଁ ତୁମ ମୁଖ ।
ଜାଣି ନାହିଁ ମୁହିଁ ଏ ଜନମେ ଭେଟ
କିବା ମୋ ଶ୍ମଶାନ ଘାଟେ
ଦେଖିବାକୁ ଥରେ ଆସିବ ବାପା ହେ
ସପନ ଲଲାଟ ପଟେ ।
