STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ପରଦେଶୀ ମନ ଚୋର

ପରଦେଶୀ ମନ ଚୋର

1 min
335

ଜହ୍ନ ହେ ତୁମେ ରାତି ଆକାଶର ଦିବ୍ୟ କୋହିନୂର ହୀରା

କୁଆଁର ପୁନେଇଁ ରାତିରେ କୁଆଁରୀ ହୃଦୟ ରତନ ହାରା

କ୍ଷୀର ସାଗର ସମ୍ଭୂତ ନକ୍ଷତ୍ରେଶ ତୁମ ରୂପ ଅପାସୋରା

ଶିତଳ ଜୋଛନା ରୂପା ରୋଷଣୀର ତୁମେ ଯେ ଅନନ୍ତ ଧାରା

ଜହ୍ନ‌ ହେ ତୁମେ...।।

ରୋହିଣୀ ମାନସ ହଂସ ବ୍ୟୋମକେଶ ଶୀର ମୁକୁଟ ଭୂଷଣ

କୁମୁଦ ବାନ୍ଧବ କ୍ଷୀରସିନ୍ଧୁଦ୍ଭବ,ଦଧି,ଶଙ୍ଖ ଶୁଭ୍ର ବର୍ଣ୍ଣ

ଶଶାଙ୍କ ଲାଞ୍ଛନ କ୍ଷୀରାବ୍ଧି ରାଜନ ଅଲିଅଳି ରାଜବାଳା  

ଭ୍ରାତା ହେ କୁଆଁର ପୁନେଇଁ ରାତିରେ ଖେଳାଅ ହସ ପସରା

ଜହ୍ନ ହେ ତୁମେ…।।

ଚୁର୍ଣ୍ଣ କୁନ୍ତଳ ତା କଳା ଫଣୀ ବେଣୀ ରଙ୍ଗିଣୀ କୁସୁମ ଦେଇ

ସଜାଇଛି ବାଳା ପାଦରେ ଅଳତା ହାତେ ମେହେନ୍ଦି ଲଗାଇ

ତୁମଠାରୁ ବଳି ତା ମୁଖ ଚନ୍ଦ୍ରମା ଦିଶୁଛି ଆହୁରି ତୋରା

ମର୍ତ୍ତ୍ୟ ଆକାଶରେ ଅନ୍ୟ ଏକ ଇନ୍ଦୁ ଉଦୟ ହେଲା କି ପରା

ଜହ୍ନ ହେ ତୁମେ…।।

ତୁମ ରୂପେ ରୂପାୟିତ ସାଥି ପ୍ରାପ୍ତି ଆଶା କରି ଆରାଧନା

ଅନୁସରି ତୁମ ଆଗମନ ପଥ କରେ ପୂଜା ଉପାସନା

ମର୍ତ୍ତ୍ୟ ର ୟେ ଜହ୍ନ ତୁମେ ସମର୍ପଣ କରି ତା ରୂପ ପସରା

ଆମନ୍ତ୍ରେ ଆସହେ ମୃଗାଙ୍କ କିଶୋର ହୃଦୟ ବଲ୍ଲଭ ତାରା 

ଜହ୍ନ ହେ ତୁମେ…।।

କୁଆଁରୀ କନିଆଁ ନବ କଳିକା ସେ ମହମହ ତା’ର ବାସ

ପ୍ରଲୁବ୍ଧ କରିବ ତୁମକୁ କୌମୁଦୀ ଆଲୋକେ ହୋଇ ପ୍ରକାଶ

ଉତ୍ତଳା କରିବ ଆଜି ଏ ଲଗନେ ଦେବ ସତେ ଆସି ଧରା

ହେବ ହେ ସମ୍ଭବ ତୁମ ସମ ନବ ପରଦେଶି ମନଚୋରା

ଜହ୍ନ ହେ ତୁମେ…।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance