ପ୍ରାତଃ ଶିହରଣ
ପ୍ରାତଃ ଶିହରଣ
କଅଁଳ ଖରା ମୋ ଶୀତୁଆ ଆକାଶେ
କୁହୁଡ଼ି ଚିପୁଡ଼ା ତାତି
ଓଢଣା ତଳୁ ଗୋ ଚାହୁଁଛ ଯେମିତି
ଜହ୍ନ କି ଖରା ପୋଉଁଛି
ଅସଜଡ଼ା ଜୁଡ଼ା ଉଜୁଡ଼ା ଉଜୁଡ଼ା
କେରି କେରି ଚୁନା କେଶ
ଲିଭା କଜଳ ର ପ୍ରଗଳ୍ଭ ଆବେଗ
ଆଶା ଭାଷା ର ପରଶ
ନକହି ନକହି କହିଯାଅ ଯେବେ
ମନ ର ଗୋପନ ଭାଷା
ଅପୁରା ଆଶା ର ନୁଖୁରା ସୁଆଦ
ଆସ୍ଵାଦ କାମୀ ଲାଳସା
ହୁଗୁଳା ରାତିର ଲଙ୍ଗଳା ବାସନା
ଫୁଙ୍ଗୁଳା ଆଳାପ ମୋହ
ଚମକେ ଛଟକେ ନଜ଼ର ଅଟକେ
କାକର ନିଗିଡ଼ା ଦେହ
ସ୍ଖଳିତ ପଣତ ଅଙ୍ଗ ସଙ୍ଗ ଚ୍ୟୁତ
କରନା କରେ କାମିନୀ
ଶୋଭା ଅପରୂପ ଲଭୁ ମତ୍ତ ଚିତ୍ତ
ମତି ପ୍ରୀତି ପ୍ରଦାୟିନୀ
ଆମନ୍ତ୍ରଣ ମନ୍ତ୍ରେ ମନ୍ତୁରା ଚାହାଣି
ଛାତି କତରେଇ ଦିଏ
କୁହୁକ ଭରା ତୋ ବତୁରା ଅଧର
କାମ କାମନା ଜଗାଏ
ନଜ଼ର ଫେରା ତୋ ଚାହାଣି ଜଣାଏ
ସାଇତା କେତେ ସପନ
ସାଉଁଳେଇ ଦିଏ ଅଝଟ ମନକୁ
ପ୍ରାତଃ ପ୍ରୀତି ଶିହରଣ

