STORYMIRROR

Satyabati Swain

Inspirational

4  

Satyabati Swain

Inspirational

ପ୍ରାର୍ଥନା

ପ୍ରାର୍ଥନା

1 min
404

ସକାଳ ମଧ୍ୟାହ୍ନ ସଞ୍ଜ ଗଡ଼ି ଯାଇ

     ବହଳ ଅନ୍ଧାର ଆସେ

ସଂସାର ମୋହ ହୁଅଇ ପ୍ରବଳ

      ବିକଳ ଏ ପ୍ରାଣ ତ୍ରାସେ।


ଜୀବନର ଛାଇ ଆଲୁଅ ଖେଳରେ

      ବ୍ୟସ୍ତ ବିବ୍ରତ ଏ ମନ

ମିଛ ସୁଖ ପଛେ ଦୌଡାଇ କେତେ

       ଆକର୍ଷେ ସୁନା ହରିଣ।


ଗଢିବା ବଢିବା ମାୟା ମୋହେ ପଡି

        ମୋର ମୋର ହୁଏ ଖାଲି

ବେହୋସ ବର୍ତ୍ତମାନ କ୍ଷଣିକ ସୁଖରେ

        ବୟସ ଆୟୁଷକୁ ଭୁଲି।


ମୁଁ ମୋର ମୋ ପାଇଁ ଦୌଡୁଛି ସଦା

      ପାଦ ଥାପି ଆନ ମୁଣ୍ଡେ

ଅନ୍ତରେ ବିଷ ଯେତେ ହିଁନ ଚିନ୍ତା

       ପୀୟୂଷ ଭରିଛି ତୁଣ୍ଡେ।


ଅଦୃଶ୍ୟରେ କାହା ହାତ ଲମ୍ବିଅଛି

      ହିସାବ କରୁଛି ବସି

ସରି ଯିବ ବାଟ ଅକସ୍ମାତ ମୋର

      ଲୋଭ କିନ୍ତୁ ଧରେ କଷି।


ତମଗୁଣ ଯେତେ ସାଙ୍ଗ କରିଅଛି

      ଦିବ୍ୟ ବନ୍ଧୁଙ୍କୁ ମୋ ଭୁଲି

ରୋଗ ଶୋକ ଭୋକ ଲୋଭ କବଳେ

      ନିଜକୁ ଦେଇଛି ଗୋଳି।


ଯେତେ ପାଇଲେ ଆହୁରି ମିଳୁ ବୋଲି

       ମନ୍ଦ ବୁଦ୍ଧି ମୋର ହୁଏ

ସୁନାର ହରିଣ ମରଣ କାରଣ

       ଏକଥାକୁ ଭୁଲି ଯାଏ !


ଆତ୍ମା କନ୍ଦରର ପରମ ପୁରୁଷ

       ସଦ୍ ବୁଦ୍ଧି ମନେ ଦେଇ

ସତ୍ କର୍ମ ସତ୍ ଚେତନାର ପଥେ

         ନିଅ ହେ ବାଟ କଢ଼ାଇ।


ଦୁଃଖୀର ଆଖିରୁ ଲୁହ ପୋଛି ବାକୁ

       ହସ୍ତ ମୋ ତତ୍ପର ହେଉ

ନିଆଶ୍ରୀ ଜନର ଆଶା ବାଡ଼ି ହୋଇ

       ଏ ମନ ହସଟିକେ ଦେଉ।


ମରଣ ଜୀଇଁବା ମଣିଷ ପାଖରେ

     ସାହାସ ହୋଇବା ପାଇଁ

ମନ ପ୍ରାଣେ ଦିଅ ଶକତି ପ୍ରଚୁର

       ଏତିକି ପ୍ରାର୍ଥନା ସାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational