ପରାଦେଶୀଆକୁ ଭରସା କରି
ପରାଦେଶୀଆକୁ ଭରସା କରି
ଥିଲି ଚୁଲୁବୁଲି ମନୋଇ ଝିଅ ମୁଁ
ଟିକିଏ ଫୁଲେଇ ଅଭିମାନିନୀ
ବୟସର ରଙ୍ଗ ଭରିଲା ଦେହରେ
ସାଜିଲି ଲାଜେଇ ରାଜନନ୍ଦିନୀ ।
ପରଦେଶୀ ବନ୍ଧୁ କିମିଆଁ କରିଲା
ପ୍ରଥମ ଦେଖାରେ ମନକୁ ଦେଲି
ପଢ଼ିନେଲା ସତେ ହୃଦୟ ଭାବକୁ
ପ୍ରେମର ସଳିତା ଦେଲା ସେ ଜାଳି ।
ହଜିଗଲି ତା'ର ପ୍ରେମରେ ସିନ୍ଧୁରେ
ବିଶ୍ୱାସ ଭରସା ମନରେ ବାନ୍ଧି
ପ୍ରୀତି ସୁଧା ରସ ପାନକରି ଦେଇ
ପାପ କଳଙ୍କରେ ହୋଇଲି ଛନ୍ଦି ।
ହାତେ ହାତ ଧରି ବାଟ ଚାଲିବାକୁ
କହିଥିଲା ସିଏ ଜହ୍ନକୁ ଚାହିଁ
ଚାଲିଗଲା କାହିଁ ଅଧାବାଟେ ଛାଡି
କାରଣ ଖୋଜି ମୁଁ ପାଇଲି ନାହିଁ ।
ଦି ଛକିରେ ଆଜି ଜୀବନ ମୋହର
ଆଗକୁ ଯିବାକୁ ଇଛା ହୁଏନା
କେମିତି ଭୂଲିବି ସେ ଅଭୂଲା ଦିନ
ହୃଦୟ କୋହକୁ ରୋକି ପାରେନା ।
ହସ ହସ ମୁହଁ ମଳିନ ଦେଖିଲେ
ବାପା ମାଆ ଭାଇ ହୁଅନ୍ତି ଦୁଃଖୀ
କେମିତି କହିବି ଯନ୍ତ୍ରଣା ଆବୋରି
ମିଛ ଭଉଁରୀରେ ହେବି କି ଖୁସି ?
ଆକାଶର ଜହ୍ନ ନିର୍ଜନ ରାତିରେ
ନୀରବେ କହୁଛି ଜୀବନ ଗାଥା
ଆପଣାର କରି କି ଲାଭ ପାଇଲୁ
କିଏ ବା ବୁଝିବ ଅନ୍ତର ବ୍ୟଥା ।
ପରଦେଶୀଆକୁ ଭରସା କରି ମୁଁ
ଜୀବନ ସାଜିଛି ଅଥଳ ନାଵ
ଥଳକୂଳ ନାହିଁ ବୁଡିଯିବି କିବା
ଲୁହର ସାଗରେ ଆଶ୍ରା କେ ଦେବ ?
ଆଞ୍ଜୁଳାର ଖୁସି ଜଳି ଜଳି ଯାଏ
ତା'ର ପ୍ରତାରଣା ଚକ୍ରବ୍ୟୂହରେ
ଦି ଛକିରେ ମୋର ଜୀବନ ବ୍ୟାକୁଳ
ନୀରବରେ ଜଳେ ନିତି ରାତିରେ ।

