ପଞ୍ଚତତ୍ତ୍ଵ
ପଞ୍ଚତତ୍ତ୍ଵ
ସୃଷ୍ଟି ସରଜନା ଅନ୍ଧକାର ମଧ୍ୟୁ
ଉଜ୍ଜ୍ଵଳ ଜ୍ୟୋତି ପ୍ରକଟ
ସେଇ ଜ୍ୟୋତି ରେଖା ସୃଷ୍ଟି କର୍ତ୍ତା ପରା
ଆକାଶ ମଣ୍ଡଳ ଜାତ ।
ମରୁତ ଓ ଅଗ୍ନି, ଜଳ, ପୃଥ୍ବୀ ପୁଣି
ସୃଷ୍ଟି କ୍ରମରେ ଆସିଲେ
ପ୍ରଳୟ କାଳରେ ଓଲଟା ଧାଇଁବେ
ଗୁଣୀ ଏ କରିନ୍ତି ଭଲେ ।
ଏହି ପଞ୍ଚ ଭୂତେ ଶରୀର ଯେ ଗଢ଼ା
ପଞ୍ଚ ମହାଭୂତେ ଲୀନ
ଏ ପଞ୍ଚ ଶବ୍ଦଟି ଜୀବର ଜୀବନେ
ଶୁଭଙ୍କରୀ ପୁଣି ଶୁଣ ।
ପଞ୍ଚମ ସ୍ୱରରେ ବେଦ ଉଚ୍ଚାରଣ
ପଞ୍ଚଶସ୍ୟ, ପଞ୍ଚାମୃତ
ପଞ୍ଚ ପଲ୍ଲବ ଓ ପଞ୍ଚାମୃତ ପୁଣି
ପଞ୍ଚଗବ୍ୟ, ପଞ୍ଚ ରତ୍ନ |
ପଞ୍ଚକର୍ମ ଆଉ ପଞ୍ଚବେଦୀ ପୁଣି
ପଞ୍ଚ ଇନ୍ଦ୍ରିୟ ଯେ ସ୍ଥିତ
ପଞ୍ଚତତ୍ତ୍ଵ ପୁଣି ପଞ୍ଚ ଇନ୍ଦ୍ରିୟରେ
ହୋଇଛନ୍ତି ସମାହିତ |
ନାସିକାରେ ପୃଥ୍ବୀ କର୍ଣ୍ଣରେ ଆକାଶ
ଚର୍ମରେ ରହେ ମରୁତ
ଜିହ୍ବାରେ ଯେ ଜଳ ନୟନେ ଅନଳ
ଏ ପରା ଜ୍ଞାନୀଙ୍କ ମତ ।
ପଞ୍ଚତତ୍ତ୍ୱ ଆସି ଶରୀର ଆବୋରି
ପଞ୍ଚଇନ୍ଦ୍ରିୟେ ରହିଲେ
ଆତ୍ମାକୁ ଶରୀର କେନ୍ଦ୍ରବିନ୍ଦୁ କରି
ପ୍ରାଣ ପ୍ରତିଷ୍ଠା କରିଲେ ।
ପଞ୍ଚଭୂତେ ଗଢ଼ା ଏ ଆମ ଶରୀର
ପଞ୍ଚଭୂତେ ହେବ ଲୀନ
ଆତ୍ମା ଆକାଶକୁ ଗମନ କରିବ
ସର୍ବେ ନେବେ ନିଜ ସ୍ଥାନ |
ଶରୀର ଆବୋରି ହିଂସା, କ୍ରୋଧ ଧରି
ଷଡରିପୁ ଙ୍କ ପ୍ରଭାବେ
ମାର୍ଗହୀନ ହୋଇ ଭ୍ରମି କିବା ଲାଭ
ସ୍ଥିତି ଆଣିବା ସ୍ୱଭାବେ ।
ଆପଣା କର୍ମକୁ ସୁକର୍ମେ ସଜାଇ
ତତ୍ତ୍ଵ ସାଧନ କରିଲେ
ତତ୍ତ୍ଵ ସାଧନର ଗୁରୁ ତତ୍ତ୍ଵ ପରା
ସର୍ବାଗ୍ରେ ନାମ କରିଲେ ।
ମନ୍ତ୍ରତତ୍ତ୍ଵ ଆଉ ମନସ୍ତତ୍ତ୍ୱ ସଙ୍ଗେ
ଦେବତତ୍ତ୍ବ ଧ୍ୟାନ ତତ୍ତ୍ଵ
ଏହି ପଞ୍ଚ ତତ୍ତ୍ଵ ସାଧନରେ ପ୍ରାଣୀ
ହୁଏ ବନ୍ଧନରୁ ମୁକ୍ତ ।
ଏହି ପଞ୍ଚତତ୍ତ୍ୱ ସାଧନା କରିଲେ
ଦୁଷ୍କୃତି ହୁଏ ଖଣ୍ଡନ
ସତ୍ୟ, ଶାନ୍ତି ପୁଣି ସଦାଚ଼ାର ନୀତି
ସୁଗୁଣରେ ହୁଏ ପୂର୍ଣ୍ଣ ।
ସୁଗୁଣେ ପୂର୍ଣ୍ଣତା ଅଟେ ପୁଣ୍ୟଦାତା
ମହାଲକ୍ଷ୍ୟ ଜୀବନର
ପଞ୍ଚଭୂତେ ଗଢ଼ା ପଞ୍ଚଭୂତେ ଲୀନ
ସଂସାର ପରା ଅସାର |
ପ୍ରାଣ ଥାଉ ଥାଉ ପ୍ରାରବ୍ଧ ଗଢ଼ିବା
କର୍ମ ଯୋଗ କୁ ବୁଝିବା
ପଞ୍ଚମହାଭୂତେ ମିଶିବା ତ ଦିନେ
କିମ୍ପା ଅହଂକାରୀ ହେବା |
