ପଣତକାନି
ପଣତକାନି
ପଣତକାନିକୁ ବର୍ଣ୍ଣନା କରିବା
ନୁହଁଇ ସହଜ କଥା
ଯେଉଁ ପଣତରେ ପୋଛି ହୋଇଯାଏ
ଶିଶୁ ମନୁ ଦୁଃଖ ବ୍ୟଥା ।
ଧୂଳି ଧୂସରିତ ହୋଇ ଯେବେ ପିଲା
ଗୃହକୁ ଆସଇ ଫେରି ,
ଅତି ସରାଗରେ ପୋଛି ଦିଏ ମାଆ
ପଣତରେ ଥିରି ଥିରି ।
ଭୋଜନାନ୍ତେ ଶିଶୁ ମାଆ ପଣତରେ
ମୁହଁ ପୋଛି ପାଏ ମଜା
ଛାତିକୁ ଫୁଲାଇ ସଗର୍ବରେ ଚାଲେ
ଉଡ଼ାଇ ବିଜୟ ଧ୍ୱଜା ।
ବିପଦ ଆସିଲେ ସନ୍ତାନକୁ ମାଆ
ଢ଼ାଙ୍କି ରଖି ପଣତରେ
ନିଜ ଜୀବନକୁ ବାଜିରେ ଲଗାଇ
ଲଢ଼ଇ ଶତ୍ରୁ ସାଥିରେ ।
କନାରେ ନୁହଇ ତିଆରି ପଣତ
ମାଆର ସୋହାଗ ଭରା
ମାଆର ପଣତକାନିର ମହକ
ଆଜୀବନ ଅପାସୋରା ।
ତପ୍ତ ନିଦାଘରେ ମାଆର ପଣତ
ଶରତ ପୂର୍ଣ୍ଣିମା ଜ୍ୟୋତ୍ସ୍ନା
ବେଦନା ମରୁରେ ପରାଣେ ପୁଲକ
ପଣତକାନିର ବାସ୍ନା ।
ସବୁଠୁ ସୁଖୀ ସେ ଯାର ମଥାପରେ
ଅଛି ମାଁ ପଣତକାନି
ସମସ୍ତ ଐଶ୍ବର୍ଯ୍ୟ ତାର ପାଦତଳେ
ସେ ସବୁଠୁ ବଡ଼ ଧନୀ ।