କବିତା - ପଙ୍କଜ କ୍ଷେତ୍ର
ରଚନା - ପଞ୍ଚାନନ ଜେନା
ତାରିଖ - ୦୮-୦୮-୨୦୨୫
ଆମ ଗାଁର ଶେଷ ମୁଣ୍ଡରେ
ଅଛି ପଦ୍ମପୋଖରୀ
ପାଞ୍ଚପାଇକା କହନ୍ତି ଗଭୀର ଭାରି
ଦୂରଦର୍ଶି ଅଜା ଖତୁ ବିଶ୍ୱାଳ କୁଆଡ଼େ
ଥିଲେ ଖୋଳେଇ
ଚାଷବାସ ଗାଧୁଆ ପାଧୁଆ ତଥା
ଗାଈଗୋରୁ ପାଣି ପିଇବା ପାଇଁ
ବହୁ ବର୍ଷ ପୂର୍ବରୁ ତାରିଖ ମନେ ନାହିଁ କାହାରି
ବର୍ଷସାରା ଉତ୍ସବମୁଖର
ସକାଳୁ ସଞ୍ଜ ପ୍ରହର
ଭିଡ଼ ଭାଡରେ ପଡୁଥାଏ ହୁରି
ଜେଜେ କୁହନ୍ତି
ସାତ ତାଳ ପାଣି ତଳେ ଅଛି
କାଦୁଆ ଦଲଦଲିଆ ପଙ୍କ
ସେହି ପଙ୍କରୁ କୁଆଡ଼େ ଯାତ ହୁଏ
କୋଟି ଲାବଣ୍ୟନିଧି ପଙ୍କଜ
ଗନ୍ଧୁଆ ପଙ୍କ ପାଳିଟିଯାଏ ପଙ୍କଜକ୍ଷେତ୍ର
ଗାଁ ପୋଖରି ହସୁଥାଏ ଆରାଧ୍ଯ ଶ୍ରୀକ୍ଷେତ୍ର
ମାଳ ମାଳ ପଦ୍ମ ଫୁଲର ଦୋଳନ
ଦଳ ଦଳ ଷଟପଦଙ୍କର ଭ୍ରମଣ ଗୁଞ୍ଜନ
ହଂସ ହଂସରାଳି ପକ୍ଷୀଙ୍କର ସନ୍ତରଣ କୂଜନ
ସକାଳୁ ସକାଳୁ ଛାର ପୋଖରୀ ପାଲଟି ଯାଏ
କି ସୁନ୍ଦର ଆହା କି ଆନନ୍ଦମୟ ନନ୍ଦନ କାନନ
ଜେଜେ ଆହୁରି କୁହନ୍ତି
ପୋଖରି ଅଛି ମାନେ ପାଣି ରହିବ , ରହୁ
ମନା କାହିଁ ପାଇଁ କରିବା
ପାଣି ଅଛି ମାନେ ପଙ୍କ ବି ରହିବ , ରହୁ
ଢ଼ଳ ଢ଼ଳ ପଦ୍ମଫୁଲ ଫୁଟେଇବା
ପାଣି ପାଲଟିଯିବ କାଚକେନ୍ଦୁ ନିର୍ମଳ
ପାଣି ହେଇଯିବ ଦିବ୍ୟ ପବିତ୍ର ଗଙ୍ଗାଜଳ
ପରିବା କାଟୁ କାଟୁ ଜେଜେମା କୁହନ୍ତି
ଯେମିତି
ପାଣିରେ ରହିଛି ରହିବ ପଙ୍କ
ସେମିତି
ପ୍ରେମରେ ରହିଛି ରହିବ କଳଙ୍କ
କେବଳ ପବିତ୍ର ଭାବନା ରହିଲେ ହେଲା
କେବଳ ତ୍ୟାଗ ସମର୍ପଣ ଗୁନ୍ଥିଲେ ହେଲା
ଠିକଣା ବଦଳି ଯିବ
ହୀନମନ୍ୟ ପଙ୍କ ବି ହେବ ପଦ୍ମଗର୍ଭା
ତୁଣ୍ଡ ବାଇଦ କଳଙ୍କ ବି ହେବ ରତ୍ନପ୍ରଭା
ପଙ୍କ ବି ସୃଷ୍ଟି କରିବ ପଙ୍କଜିନୀ
କଳଙ୍କ ବି ନାକ ତଳେ କଳାଜାଇ ପରି
ଦାଉ ଦାଉ ଜଳିବ
ରୂପ ଲାବଣ୍ୟର ସୀମା ସରହଦ ବଢ଼େଇବ
କଳଙ୍କିନୀ ବି ହୋଇ ପାରିବ ବିଜୟିନୀ ସୀମନ୍ତିନୀ
କୂଳ ବନ୍ଦିନୀ ବଂଶ ମାନ ସମ୍ମାନ ନାଶିନୀ
ବି ସାଜି ପାରିବ ଜନ ମନ ଗଣ ନନ୍ଦିନୀ