ପଲ୍ଲୀର ସନ୍ଧ୍ୟା
ପଲ୍ଲୀର ସନ୍ଧ୍ୟା
ସନ୍ଧ୍ୟା ଯହିଁ ମହକେ
ଫୁଟନ୍ତା ମଲ୍ଲୀର ସୁଗନ୍ଧରେ
ଚିତ୍ରିତ ହୁଏ ରଙ୍ଗ ବେରଙ୍ଗ
ରଙ୍ଗଣୀ ଫୁଲରେ
ଝଲସି ଉଠେ ଶତଦଳ
ନୀଳକଇଁର ଆଭାରେ
ଶୋଭିତ ହୁଏ ବିବିଧ
ପୁଷ୍ପରାଜିର ସମ୍ଭାରରେ
ରସସିକ୍ତ ହୁଏ ଘରବାହୁଡ଼ା ପକ୍ଷୀଙ୍କର
କିଚିରିମିଚିରି ଶବ୍ଦରେ
ରଞ୍ଜିତ ହୁଏ ଗୋଧୂଳିରେ
ସୂର୍ଯ୍ୟନାରାୟଣଙ୍କ ରକ୍ତିମ କିରଣରେ
କମ୍ପିତ ହୁଏ ଘଣ୍ଟ ଘଣ୍ଟା
ଶଙ୍ଖ ଦୁନ୍ଦୁଭିନାଦରେ
ଆଲୋକିତ ହୁଏ ବୃନ୍ଦାବତୀ ମୂଳରେ
ନବବଧୂର ସଞ୍ଜ ସଳିତାରେ
ସରସିତ ହୁଏ ଶ୍ରୀମଦଭାଗବତର
ଗୁରୁ ଗମ୍ଭୀର ଝଙ୍କାରରେ
ମୁଖରିତ ହୁଏ ପାର୍ବଣର
ଉତ୍ସାହ ଉଦ୍ଦୀପନାଭରା ପରିବେଶରେ
ସଜ୍ଜିତ ହୁଏ ନିତି ନୂଆ ନୂଆ
ଷଡଋତୁର ଶୁଭାଗମନରେ।
ସେଇ ଅଖ୍ୟାତ ପଲ୍ଲୀ ମୋହର
ଅଟଇ ଯେ ଜନନୀ ଜନ୍ମଭୂମି
ଦେବଭୂମି କୋଟି ପୂଣ୍ୟ ତୀର୍ଥକ୍ଷେତ୍ର
ରୂପ ତା'ର ସ୍ୱର୍ଗଠୁ ବି ସୁନ୍ଦର
ମହନୀୟ ସଂସ୍କୃତିର ଗନ୍ତାଘର
ସଦା ଉଦଭାସିତ ହୁଏ କଳ୍ପ ତାହାର
ମୋ ମନର ରୁଦ୍ଧ କାରାଗାରେ
ତାହାର ଦର୍ଶନ ଲଭିବାକୁ ମୁହିଁ
ଅହରହ ଝୁରି ଝୁରି ମରେ
ଚାତକ ପରାୟେ ସୁଦୂର ପ୍ରବାସରେ।
