ପଖାଳ
ପଖାଳ
ନଡାର ଚାଳ ଛୁଏଁ ସକାଳ
ପୋଛି ଦେବ କି ଦୁଃଖ ଜଞ୍ଜାଳ
କାନ୍ଧରେ ହଳ ମୁଣ୍ଡରେ ଝାଳ
ଦେହଟା ଯାକ ହାଡ କଙ୍କାଳ ।
ଗରିବ ପ୍ରାଣ ; ପେଟରେ ଖାଲି ଭୋକ ବିକଳ.....
ମଲା ପିଣ୍ଡକୁ ଜୀବନ ଫେରେ
ମିଳେ ଯେବେ ଟି ବାସି ପଖାଳ ॥
ଗଣ୍ଡାଏ ଭାତ କଂସେ ତୋରାଣି
ଲୁଣ ଲଙ୍କାର ପ୍ରୀତି ଚହଳ
ଭଙ୍ଗା ମନରେ ଶାନ୍ତ ରାଗିଣୀ
ଅବଢା ଠୁଁ ବି ତୃପ୍ତି ପ୍ରବଳ ।
ଅମୃତ ସେ ତ ; ଚଇତି ମାସ ଆମ୍ବ ବଉଳ.....
ଦୁଃଖିର ଆଶା ରଙ୍କୀ ଭରଷା
କଂସା ଭର୍ତ୍ତିର ବାସି ପଖାଳ ॥॥॥
ଥିଲା ବାଲାର କଂକ୍ରିଟ ଚାଳ
ଛୁଏଁ ସତେ କି ତାରକା ମାଳ
ଡାଲି ଭାତରୁ ବିରତି ନେଇ
ଖୋଜଇ ଖାଦ୍ୟ ସ୍ୱାଦ ବହୁଳ ।
ପିଜା ବର୍ଗର ; ଝରୁନି ଆଉ ପାଟିରୁ ଲାଳ.....
ଶାଗ ମହୁର ମାଛ ବେସର
ବଡିର ଆହା ସଜ ପଖାଳ ॥
ରମ୍ୟ ମହଲ ସୁରମ୍ୟ ଚାଳ
ସତେ କି ଛୁଏଁ ଜ୍ୟୋତ୍ସ୍ନାର କୋଳ
ବିଳାସୀ ମନ ମାୟା ମୃଗରେ
ପଖାଳ ଲାଗି ସାଜେ କାଙ୍ଗାଳ ।
ଭୋଜି ଉତ୍ସବ ; ଖୋଜଇ ପୁଣି ସ୍ମୃତି ସମ୍ବଳ.....
ଛ' ଭଜା ନଅ ତିଅଣ ନେଇ
ଚୁଣ୍ଟି ଚାଲଇ ଦହି ପଖାଳ ॥
ଜାତିର ଟେକ ମାଟି ମହକ
ଓଡିଆ ଖାଦ୍ୟ ଭାତ ପଖାଳ
ସଜ କି ବାସି ହେଉ କି ଦହି
ପଖାଳ ପାଇଁ ସବୁ ପାଗଳ ।
ନାହିଁ ତ ଭେଦ ; ଧନୀ ଗରିବ ନିଦା ଦୁର୍ବଳ.....
ଓଡିଶା କୃତି ଆମ ସଂସ୍କୃତି
ସକାଳ ନିତି ଚାଖୁ ପଖାଳ ॥