ପିଣ୍ଡରୁ ବ୍ରହ୍ମାଣ୍ଡ
ପିଣ୍ଡରୁ ବ୍ରହ୍ମାଣ୍ଡ
ପିଣ୍ଡରୁ ବ୍ରହ୍ମାଣ୍ଡ ହୋଇଛି ଉଦ୍ଭବ
ଜୀବଜଗତର ସୃଷ୍ଟି
ସ୍ରଷ୍ଟାଙ୍କର ଏଇ ସୁନ୍ଦର ରଚନା
କରିଛି ଆଶିଷ ବୃଷ୍ଟି ll
ଏ ବିଶ୍ୱ ବ୍ରହ୍ମାଣ୍ଡ ଅଟେ ମାନଦଣ୍ଡ
ଜୀବଜଗତର ଲାଗି
ତା'ର ମେରୁଦଣ୍ଡ ହେଲେ ଖଣ୍ଡ ଖଣ୍ଡ
ଆତଙ୍କ ଉଠିବ ଜାଗି ll
ଜୀବ ପରମର ମଧୁର ସୃଜନୀ
ଅଟେ ଏ ସୁନ୍ଦର ଧରା
ପ୍ରକୃତି କୋଳରେ ଏ ଜୀବଜଗତ
ଉତ୍କର୍ଷରେ ଆତ୍ମହରା ll
ଜୀବଜଗତର ଜୀବନ ସମ୍ଭବ
ଅଟେ ଏ ବିଶାଳ ମହୀ
ସକଳ ଜୀବର ଜୀବନ ଧାରାକୁ
ବକ୍ଷରେ ଚାଲିଛି ବୋହି ll
କେତେ ନଦ ନଦୀ ବିଶାଳ ଜଳଧି
ପ୍ରବାହିତ ଯହିଁ ନିତ୍ୟ
ପ୍ରକୃତିର ଦାନେ ଏ ଜୀବଜଗତ
ଚିର ଋଣୀ କୃତ୍ୟ କୃତ୍ୟ ll
ପିଣ୍ଡରୁ ବ୍ରହ୍ମାଣ୍ଡ ବିସ୍ମୟ ଭୂଖଣ୍ତ
ଅଟେ ଏ ସୁନ୍ଦର ଧରା
ଜୀବ ପରମର ସମ୍ପର୍କର ସେତୁ
ବସୁମତୀ ବିଶ୍ଵମ୍ଭରା ll
ପିଣ୍ଡରୁ ପରାଣ ହୋଇଛି ଉନ୍ମେଷ
ବ୍ରହ୍ମାଣ୍ଡ ହୋଇଛି ଜାତ
ଜୀବନ ଯେଉଁଠି ହୋଇଛି ସମ୍ଭବ
ବ୍ରହ୍ମମୟ ଏ ଜଗତ ll
ବ୍ରହ୍ମରୁ ଶବଦ ଶ୍ରୁତି ହୀନ ନାଦ
ଶୂନ୍ୟରେ ଯାଉଛି ମିଶି
ନିତ୍ୟ ନିରନ୍ତର ଚାଲିଛି ସତ୍ୱର
ଅଜ୍ଞ ଏ ଜଗତବାସୀ ll
