ପିଲାଦିନ
ପିଲାଦିନ
ସମୟ ତୋତେ ମୁଁ ନେହୁରା ହେଉଛି
ଫେରେଇଦେ ମୋ ସେ ଦିନ,
ଯେଉଁ ଦିନେ ମୁହିଁ ବୋଉ କୋଳେ ରହି
ଦେଖିଛି ଆକାଶେ ଜହ୍ନ ।।
ଅଳି ଅର୍ଦ୍ଦଳିରେ ଅଝଟ ପଣରେ
ଖାଇଛି ମାଡ଼ ମୁଁ କେତେ,
ଖେଳନା ଭାଙ୍ଗିଛି ରୁଷି ବସିଅଛି
ରାଗ ତ ଯାହାକୁ ଯେତେ ।।
ନଦୀ ପଠା ତଳେ ଆମ୍ବ ଗଛ ମୂଳେ
ସମୟ ବିତିଛି କେତେ,
ବାପାଙ୍କ ଡାକରେ ଡର ତରତରେ
ଲୁଚିଛି ସେଠୁ ତୁରିତେ ।।
ବୋଉ ପଣତ ଯେ ସୁରକ୍ଷା କବଚ
ମାଡ଼କୁ ନ ଥିଲା ଡର,
ସମୟ ସ୍ରୋତ ଯେ ଭସେଇ ନେଇଛି
ବୋଉ ପଣତକୁ ମୋର ।।
ସମୟ କାନ୍ଥରେ ବୟସ ଲେଖିଛି
ଅଭୁଲା ଅତୀତ ଚିହ୍ନ,
ଜହ୍ନ ତ ରହିଛି ଆକାଶ ବକ୍ଷରେ
ନାହିଁ ମୋର ପିଲାଦିନ ।।
ଝୁରି ହୁଏ ମୁହିଁ ମୋ ପିଲାଦିନକୁ
ସମୟର ସ୍ରୋତ ସାଥେ,
ଆସେନା ସେ ବେଳ ଫେରନା ସେ କାଳ
ଝୁରିହେଲେ ତାକୁ ଯେତେ।।
ପିଲାଦିନ ଖେଳ ପିଲାଦିନ ମେଳ
ସ୍ମୃତି ପାଲଟିଛି ଆଜି,
ଆଉ ନାହିଁ ମଜା ନୂଆ ବରଷାରେ
ଗ୍ରୀଟିଙ୍ଗସ୍(କାର୍ଡ଼୍) ବଣଭୋଜି ।।
ପିଲାଦିନ ସାଙ୍ଗ ପିଲାଦିନ ସ୍ମୃତି
ଆଉ କି ଫେରିବ କୁହ,
ସେ କଥା ଚିନ୍ତିଲେ ସେ କଥା ଭାଳିଲେ
ଆଖିରୁ ଝରଇ ଲୁହ ।।
