STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Others

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Others

ଅଳଙ୍କାର

ଅଳଙ୍କାର

1 min
213


ପ୍ରକୃତିର ସୌନ୍ଦର୍ଯ୍ୟ ଶୋଭା ଶିରୀ,

       ଦେଖି ଚକିତ ପୁରଷ ଓ ନାରୀ,

ସେ ରୂପେ ନିଜକୁ ସୁନ୍ଦର କରି

        ସଜାଇ ହୁଅନ୍ତି ଦିବା ସର୍ବରୀ।

ଆଭୂଷଣେ ବିଭୂଷଣେ ସୁନ୍ଦରୀ

       ଆଖିକୁ ଲାଗନ୍ତି ଚିର କୁମାରୀ,

ନା ନା ଅଳଙ୍କାର ସେ ଅଙ୍ଗେ ଧରି

     ଲାଗେ ଅବା ସତେ ସରଗ ପରୀ।

ରୂପ ରଙ୍ଗକୁ ଧାତୁ ଅଳଙ୍କାର

       ବହୁ ଗୁଣେ କରଇ ଚମତ୍କାର,

ଶୋଭାମୟୀ ଲାବଣ୍ୟତାରେ ତାର

     ଆସେ ଭାବ ଭାବନାର ଜୁଆର।

ପ୍ରସାଧନ ଅଳଙ୍କାର ଯେତେକ

       କୃତ୍ରିମ ରୂପଚର୍ଯ୍ୟାର କାରକ,

ଭଲ ଲାଗେନା ଗୁଣ ବ୍ୟତିରେକ

      ଗୁଣ ବିନା ରୂପେ ନାହିଁ ମହକ।

ଲଜ୍ଜା ନାରୀର ଶ୍ରେଷ୍ଠ ଆଭୂଷଣ

     ସେବା ତ୍ୟାଗର ମହନୀୟ ପଣ,

ସୃଷ୍ଟିର କରେ ଅଶେଷ କଲ୍ୟାଣ

      ବସୁଧା ପରି ନମ୍ରତା ଆଚରଣ।

ଯୋଗ୍ୟତା ପୁରୁଷର ଅଳଙ୍କାର

       ସଫଳତା ଦିଏ ପ୍ରମାଣ ତାର,

ନିର୍ଜୀବ ଗହଣା ଧାତୁ ପଥର

       ଗୁଣୀଜନଙ୍କ ନ ଥାଏ ଆଦର।

ଅଳଙ୍କାର ସମୃଦ୍ଧିର ଲକ୍ଷଣ

        ସୂଚାଇ ଦିଏ ଅଙ୍ଗ ଆଭୂଷଣ,

ଭାଷା ସାହିତ୍ୟର ସୁନ୍ଦର ପଣ

      ଉପମା ପଦ ଛନ୍ଦେ ଆକର୍ଷଣ।

ବହୁ ଅଳଙ୍କାରରେ ଅଳଙ୍କୃତା

      ଗୁଣ ବିନା ରହେନା ଯଥାର୍ଥତା,

ପଳାଶ କୁସୁମ ସମ ଉଗ୍ରତା

    ପ୍ରକାଶି ପାରେ ନାହିଁ ତାତ୍ପର୍ଯ୍ୟତା।

ଅଳଙ୍କାର ଅଙ୍ଗ ଶିରୀ ବର୍ଦ୍ଧନେ

    ସୌନ୍ଦର୍ଯ୍ୟ ଆଭୂଷଣେ ପ୍ରସାଧନେ,

ସ୍ଵଭାବ ଚରିତ୍ର ନିର୍ମଳ ମନେ

     ଶାନ୍ତି ତୃପ୍ତି ଭରି ଦିଏ ଜୀବନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract