STORYMIRROR

Lilabati Padhi

Inspirational

4  

Lilabati Padhi

Inspirational

ଫୁଲଟିଏ ମତେ କର

ଫୁଲଟିଏ ମତେ କର

1 min
362

ଫୁଲଟିଏ ମତେ କରବୋଲି ପ୍ରଭୁ

କରିନାହିଁ କେବେ ଅଳି,

ଫୁଲ ରଖୁଥିବା ଚଙ୍ଗୁଡ଼ାଟେ କର

ସର୍ବେ ରଖିବେ ମୋ ଦେହେ ତୋଳି ll

ଦୀପଟିଏ ମତେ କରିବାକୁ କେବେ

ଡାକିନି ରାଧାମାଧବ,

ଦୀପାଷ୍ଟାଣ୍ଡ ଟିଏ କରିବ ମୋ ଦେହେ

କେତେ ଦୀପ ଜଳୁଥିବ ll

କ୍ଷୀର, ସର, ପୁଳି କରିବ ବୋଲି କି

ଇଛି ନାହିଁ ଚକ୍ରଧର,

ଅଧାମ,ଗୋଟିକା ମୋ ଦେହେ ବାଢିବେ

ମତେ ମାଟି ସରାଟିଏ କର ll

ତୁମ ହାତର ସେ ସୁରିଲା ବଇଁଶୀ

ହବାକୁ କେବେ ଭାବିନି,

ଗୁହାରି ଏତିକି ଆହେ ଘନଶ୍ୟାମ

ମତେ କରହେ ପାଞ୍ଚଣ ବାଡ଼ି ll

ତୁମ ପିନ୍ଧାବସ୍ତ୍ର ହେବି ବୋଲି କେବେ

ସ୍ୱପ୍ନରେ ବି ଭାବିନାହିଁ,

ପୋଛାକନା କର ସ୍ନାନ କଲାପରେ

ଶରୀର ପୋଛିବି ମୁହିଁ ll

ଛଳ ନାହିଁ ମନେ ଦେହେ ଲାଗିହେବି

ହୋଇ ଚନ୍ଦନ, କର୍ପୁର,

ସାର୍ଥକ ହେବି ମୁଁ ପୂର୍ଣ୍ଣ କର ଆଶା

ମତେ ଚନ୍ଦନ ପଥର କର ll

ଯଜ୍ଞ ମଣ୍ଡପରେ ହୋମକାଠ ହେବି

କେବେ ଇଚ୍ଛା କରିନାହିଁ,

ଯଜ୍ଞଶାଳା ଶୋଭା ବଢ଼ାଉଥିବି ମୁଁ

ମତେ ମୁରୁଜ କରିବ ସାଇଁ ll

ଗୀତଗୋବିନ୍ଦର ଧାଡିଟିଏ ଅବା

ଦେବଦାସୀଟିଏ ହୋଇ,

ଶୟନ କକ୍ଷରେ ନିଦ୍ରା ତୋଳିଦେବି

ମନେ କେବେ ପାଞ୍ଚିନାହିଁ ll

ଅବଶ୍ୟ ଭାବିଛି ଦେବଦାସୀ ପାଦେ

ଘୁଙ୍ଗୁର ପଟେ ମୁଁ ହେବି,

ତୁମେ ଝୁମୁଥିବ ମାହାରୀ ନୃତ୍ୟରେ

ମୁଁ ସାରାରାତି ବାଜୁଥିବି ll

ଆଶ୍ରିବାଦ କର ଏହିଜନ୍ମେ କିଛି

ପୁଣ୍ୟ ମୁଁ ଅରଜିଥିବି,

ଆର ଜନମରେ ତୁମ କରୁଣାରୁ

ତୁମ ସାନିଧ୍ୟ ପାଇବି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational