ଫୁଲ
ଫୁଲ
ଫୁଲର ସହର ନୃଶଂସ ନଅର
ନିତି ଦଳିଯାଏ କଢିଟିଏ।
କଣ୍ଟାର ଆଶ୍ରା ବି ବୃଥା ହୋଇଯାଏ
ରକ୍ତାକ୍ତ କ୍ଷତାକ୍ତ ହୋଇଯାଏ।
କୋମଳ ପାଖୁଡା ଖୋଲିବା ଆଗରୁ
ଲୋଲୁପ ଶାଗୁଣା ଖୁମ୍ପି ଖାଏ।
ସୁନ୍ଦରତା ତାକୁ ଶାପ ହୋଇଯାଏ
ଅଦିନରେ ଝଡି ମନ୍ଥିହୁଏ।
ସୁନ୍ଦର ପୃଥିବୀ ସୁନ୍ଦର ଆକାଶ
ସୁନ୍ଦର ପବନ ଛୁଉଁ ଛୁଉଁ।
ପ୍ରଜାପତି ସଙ୍ଗେ ନୃତ୍ୟ କରୁ କରୁ
ଶୁଣି ଭ୍ରମରର ଗୁଣୁଗୁଣୁ।
ପରିବାର ସଙ୍ଗେ ଚିହ୍ନା ପରିଚିତି
ବଢାଇବା ପାଇଁ ଇଚ୍ଛା କରି।
ଖୋଲା ମେଲା କରି ପାଖୁଡା ବିସ୍ତାରି
ବାସ୍ନାର ସୁବାସ ଦିଏ ଝାରି।
ମନ୍ତ୍ର ମୁଗ୍ଧ ହୋଇ ପାଗଳ ଭ୍ରମର
ଲୋଳୁପରେ ଯେବେ ଧାଇଁଆଏ।
ତା ଗୋଲାପି ଅଧର ଛୁଇଁବା ଆଗରୁ
ହିଂସୁକ କାମୁକ ତୋଳି ନିଏ।
ଅଭାଗୀ ଫୁଲଟି ଜାଣି ପାରେ ନାହିଁ
ଦୁନିଆଁକୁ କିଆଁ ଆସିଥିଲା।
କେଉଁ କର୍ତ୍ତବ୍ୟ ଓ ଜଗତର ହିତେ
ସୃଷ୍ଟିକର୍ତ୍ତା ସୃଷ୍ଟି କରିଥିଲା।
ଅଦିନରେ ମନ୍ଥି ନଷ୍ଟ ହୋଇଗଲା
ସଂସାରକୁ କିଛି ଜଣୁ ଜାଣୁ।
କଳିକାଟିଏ ସେ ଫଳ ଦେଇଥାନ୍ତା
ହେଲେ ଛିନ୍ନ କରିଦେଲା ଜାଣୁ ଜାଣୁ।
