STORYMIRROR

Binaya Bhusan Panigrahi

Abstract Thriller

3  

Binaya Bhusan Panigrahi

Abstract Thriller

ଫୁଲ ଯା' କହିଲା

ଫୁଲ ଯା' କହିଲା

1 min
129

ପଥ ପ୍ରାନ୍ତେ ଭୁଲୁଣ୍ଠିତ

ସେ ଫୁଲକୁ ଦେଖିଲା ପରେ

ମୋ ଭିତରେ କିଛି ଗୋଟେ ହେଲା

ଟିକେଟିକେ ଲାଗିଲା ଯେମିତି

ପରିତ୍ୟକ୍ତ ସେ ଫୁଲକୁ ଦେଖି

ପୁଲକିତ ହେଇଛି ମୁଁ

କେବେ ନା କେବେ ଥରେ

ଜୀବନର ବିତିଲା ଦିନରେ

ଯଦିଓ, ଉଦ୍ଧାରି ପାରୁନି

ଚଟକରି ଅଥଳ ସ୍ମୃତିରୁ

ଗୋଟେଇ ପାରୁନି ମୋତି

ସାଗର ତଳର ସେଇ

ଶାମୁକା ଗର୍ଭରୁ।

'ହଁ' ଆଉ 'ନାଁ' ର ଅଡୁଆ ସୁତାରୁ

ଖିଅଟିଏ ପାଇବା ଆଶାରେ

ଜୀବନର କିଛି କାଳ ବିତିବା ତ ଧାର୍ଯ୍ୟ

ମୁଁ'ବି ବାଦ ପଡିଲିନି

ଚେଷ୍ଟାକରି ସେଦିନ ସେଥିରୁ।

ଭିତରୁ ଶୁଣିଲି,

ତାଗିଦ କରି କହିଲା ବିବେକ

"କେହି କ’ଣ ପଚାରେ

ତିରଲା ମାନଙ୍କ ବୟସ

ଆଉ, ମର୍ଦ୍ଦ ପୁଅର ମଇନା !"

ତଥାପି ଭାବିଲି,

ଭାବନାକୁ ବିରାମ ଦେଇ ଟିକେ

ପଚାରିଦେବି ସେ ଫୁଲକୁ

ସିଏ ଯଦି ସେଇଫୁଲ ଥିଲା

କାହିଁ ଗଲା ରଙ୍ଗ ତା'ର

ଯାହା ଦିନେ

ରଙ୍ଗେଇ ଥିଲା ମୋ ସ୍ବପ୍ନକୁ

ତା ନିଜ ଢ଼ଙ୍ଗରେ କିନ୍ତୁ,

ପୁରାପୁରି ମୋଅରି ଇଚ୍ଛାରେ

ଯାହା ଖାଲି ମୋତେ ଜଣାଥିଲା

ହଁ, ଖାଲି ମୋତେ ଜଣାଥିଲା ।

ରଙ୍ଗ ଥିଲାବେଳେ ସିନା

ଫୁଲମାନେ ନିର୍ବୋଧ-ନିରୀହା

ରଙ୍ଗତକ ଫିକା ହେଇଗଲେ

ସେଇମାନେ ପଢ଼ନ୍ତି ଆଖିରୁ

ବୁଝନ୍ତି ଅନ୍ତରର ଭାଷା

ଆଗନ୍ତୁକର ପାଦ ଶବ୍ଦରୁ ।

ମୁହଁ ମୋର ଖୋଲିବା ଆଗରୁ

ଫୁଲ ମୋତେ ପଚାରିଲା

'ଆସିଛ ପଚାରି ବୁଝିବ

ମୋ ଭିତରୁ ମୁଁ କୁଆଡେ ଗଲି?

ମୋ ରଙ୍ଗକୁ ମୁଁ ନିଜେ ହାରିଲି

ନା, ରଙ୍ଗ ମୋତେ ଛାଡ଼ି ଚାଲିଗଲା?

ଏଇମିତି ଗୋଛାଏ ପ୍ରଶ୍ନ

ଗୋଟେ ପରେ ଗୋଟେ କରି

ଶୁଣେଇ ଚାଲିବ ତମେ

ଅପେକ୍ଷିବ ଉତ୍ତରକୁ ମୋର

ମୁଁ କିନ୍ତୁ ନୀରବ ରହିବି

କାରଣ,ମୁଁ ହଜିଲା ଦିନର ଫୁଲ

ଏବେ ଆଉ ରଙ୍ଗ ନାହିଁ, ରସ ନାହିଁ

ହସ ନାହିଁ, ବାସ ନାହିଁ

ନାହିଁ କ୍ଲେଶ, ଶୋଷ ନାହିଁ

ଆଶା ନାହିଁ, ନାହିଁ ଅବଶୋଷ

ନାହିଁ ଦୁଃଖ, କ୍ଷୋଭ, ପରାଭବ ।

ଫେରିଯାଅ କବି, ଫେରିଯାଅ

ପଛକୁ ଚାହଁନା ଫେରି

ଫୁଲ ଆଉ ଫୁଲ ହେଇ ନାହିଁ

ସେଦିନ ତମେ ଯିବାଠାରୁ ।"

ମନକୁ ମନ ମୁଁ କହିଲି

"କବି ରେ, ରାସ୍ତା ଲମ୍ବିଛି ଆଗକୁ

କେତେ ଯାକେ କିଏ ବା ଜାଣିଛି

ଚାଲ,ଆଗକୁ ଆଗେଇ ଚାଲ

ପଛକୁ ଚାହାଁନା ଫେରି

ଭୋଗିବାକୁ ଦେ’ ବିଚାରୀକୁ

ଅନ୍ତତଃ ସେଇ ତକ ଦୁଃଖ

ପ୍ରାପ୍ୟ ତା'ର ଯାହା ତୋ କର୍ମରୁ ।।"


Rate this content
Log in

Similar oriya poem from Abstract