ଫଗୁଣର ଶେଷ ଚିଠି
ଫଗୁଣର ଶେଷ ଚିଠି
ଫଗୁଣ ତ ଆସି ପୁଣି ଫେରିଯିବ
ମୁଁ ଏକ ଫଗୁଣ ଫେରିବି ନାହିଁ ,
ବୈଶାଖୀ ଝାଞ୍ଜିରେ ଜଳିଯିବି ପଛେ ,
ତଥାପି ତୁମକୁ ଛୁଇଁବି ନାହିଁ !
ଫଗୁଣ ମୁଁ ସତ ,ତଥାପି ରଖିନି
ମଳୟ ଚରିତ୍ର ମୋ' ହୃଦୟରେ ,
ବରଂ ଆଙ୍କୁଥିବି ତୁମ ଚିତ୍ରପଟ
ବୈଦେହୀ ରୂପର ଚିତ୍ରକଳ୍ପରେ !
ତୁମେ ତ ବୈଦେହୀ , ତୁମ ଚିତ୍ରଲିପି
ଅକ୍ଷରେ ଅକ୍ଷରେ ଐତିହ୍ୟ ହେବ ,
ମୋ' ହସ୍ତାକ୍ଷରର ସାକ୍ଷୀ ଗୋପୀନାଥ
ନୂଆ କାହାଣୀ ସର୍ଜନା କରିବ !
ସେଇ କାହାଣୀର ତୁମେ ହିଁ ନାୟିକା
ନାୟକ ତୁମରି ଜୀବନସାଥୀ ,
ମୁଁ କେବଳ ମାତ୍ର ସୁରକ୍ଷାକବଚ
ତୁମ ଉଭୟଙ୍କ ପ୍ରଣୟ-ସାକ୍ଷୀ !
ତୁମେ ତ ବାସନ୍ତୀ ଋତୁ ପ୍ରଜାପତି
ମୁଁ କିଏ ସେ , ତୁମ ପ୍ରୀତି ଛୁଇଁବି !
ମୁଁ ଜଣେ କିନ୍ନର ହୋଇ ଜନ୍ମ ନେଲେ
ହୁଏତ ତୁମକୁ ଛୁଇଁ ପାରିବି !
କିନ୍ନର ବି ଜଣେ ମର୍ତ୍ତ୍ୟର ମଣିଷ
ତା' ପାଖରେ ଅଛି ସ୍ୱଚ୍ଛ ହୃଦୟ ,
ଛଳ କପଟର ସଂସାରଠୁ ଦୂରେ
ନ ଥାଏ ତା' ପାଖେ ଛଳନା ଭୟ !
ତୁମ ପ୍ରାଙ୍ଗଣର ପରାଗସଙ୍ଗମେ
ମୋ' ମନ-ଅଗଣା ଅଙ୍କୁରି ହସେ ,
ଶ୍ରାବଣୀ ଛୁଆଁରେ ସୌଦାମିନୀ ହସୁ
ତୁମ ସଙ୍ଗମର ପ୍ରୀତି ପରଶେ !
ହସିବା ଆଗରୁ ଆଖିରେ ମୋହରି
ହସର ଜୁଆର ଲୁଚି ଖେଳୁଛି ,
ଆଗୋ ପ୍ରିୟତମା ! ସେ ଜୁଆର ଦେଖି
ସାଗରର ଊର୍ମି ହାରି ଯାଉଛି !
ମୋ' ପ୍ରୀତି ନୁହେଁ ତ ଛଳନାର ଏକ
ଅବନ୍ତୀ ରାଜ୍ୟର ବାଲି ଅଗଣା ,
ସେଥିରେ ରହିଛି ଉଷ୍ମ ଉପତ୍ୟକା
ତୁମ ପ୍ରତିଛବି ହୋଇ ଗହଣା !
ତୁମେ ବି ଜାଣିଛ ମୁଁ ବି ଜାଣିଛି
ତଥାପି ଆମରି ଶବ୍ଦ ସ୍ୱତନ୍ତ୍ର ,
କହି ପାରେନାହିଁ ରହି ପାରେନାହିଁ
ତଥାପି ସେ କେବେ ନୁହେଁ ନିରସ୍ତ୍ର !
କାବ୍ୟରେ କାବ୍ୟରେ ଆଙ୍କି ଦେଇଗଲି
ସୀତାରାମଙ୍କର ପ୍ରଣୟଚିତ୍ର ,
ଏଇ ପରା ଆମ ଆର୍ଯ୍ୟ ଭାରତର
ଦାମ୍ପତ୍ୟ କାହାଣୀ , ଦମ୍ପତି ମିତ୍ର !
ପ୍ରିୟା ଫଗୁଣର ଶେଷ ଚିଠି ଭାବି
ଓଠରେ ନ ହେଉ ଆଖି ଲୁହରେ ,
ପଢ଼ି ଯାଉଥିବ , ଲିଭି ଯାଉଥିବ
ମୋ' ପ୍ରଣୟ ଶବ୍ଦ ତୁମ ଆଖିରେ !
କଥାରେ କଥାରେ ଲେଖି ଦେଇଗଲି
ପ୍ରାଣ ପ୍ରଣୟର ମଧୁର କଥା ,
ସମୟ ଆସିବ , ଆସି ଚାଲିଯିବ
ସ୍ବର୍ଣ୍ଣାକ୍ଷରୀ ହେବ ତୁମରି ଗାଥା !