STORYMIRROR

Sachidananda Kar

Inspirational Children

3  

Sachidananda Kar

Inspirational Children

ଫଗୁଣ ଫଗୁଣ

ଫଗୁଣ ଫଗୁଣ

1 min
207

     ଆସିଲେ ଫଗୁଣ ଗାଇଲେ କୋଇଲି

          ସୁଲଳିତ ସୁରେ ଗୀତ

     ଗୋଲାପୀଗୋଲାପୀ ଦିଶେ ଆମ ଗାଆଁ

          ସୁନ୍ଦର ଲାଗେରେ ମିତ ।। 


     କାଉଁରୀ କାଠିର ପରଶରେ ତା'ର

          ଆନନ୍ଦରେ ବିତେ ବେଳ

     ଖୁସି ଲାଗେ ଦେଖି ଆମ୍ବବଉଳରେ

          ମଳୟର ଦୋଳି ଖେଳ ।। 


    ଘାସର ଗଭାରେ ଫୁଲ ସରାଗରେ

          ଖୋସିଦିଏ କିଏ ଆଣି

    ପୂନେଇଁ ଆକାଶେ ଗୋଟା ଜହ୍ନ ହସେ

          ଫଗୁଣ ଆସିଛି ଜାଣି ।। 


    ଫୁଟନ୍ତି କାମିନୀ କେତକୀ ମାଳତୀ

          ବଢାନ୍ତି ଗାଆଁର ଶୋଭା

    ପଳାଶ କୁସୁମ ଫୁଟି ହସୁଥାଏ

          ଦିଶୁଥାଏ ମନଲୋଭା ।। 


     ଉଡେ ନାଲି ନେଳି ରଙ୍ଗର ଅବିର

          ସଭିଏଁ ପାଳନ୍ତି ହୋଲି

     ମେଳା ପଡିଆକୁ ବିମାନରେ ବସି

          ଠାକୁର ଆସନ୍ତି ବୋଲି ।। 


     ବଡ଼ ପୋଖରୀରେ ନୂଆ ପଦୁଅଁଟି

          ଦେଖଇ ଆମରି ଗାଆଁ

     ନୂଆ ପତରରେ ଅତି ଶରଧାରେ

          ବସନ୍ତ ଲେଖଇ ନାଆଁ ।। 


     ଫୁଲର ଝୋଟିରେ ସାଜୁଥାଏ ନିତି

          ଆମ ଗାଆଁ ସରୁ ବାଟ

     ଦେଖିଲେ ଲାଗଇ ବସିଛିକି ସତେ

          ଶୋଭାର ଗୋଟିଏ ହାଟ ।। 


     କଥାରେ ଭାଷାରେ କୋମଳତା ଆଉ

          ମଧୁରତା ଦେଲେ ଭରି

     ସବୁ ଦିନ ମାସ ବରଷ ଲାଗିବ

          ଫଗୁଣ ଫଗୁଣ ପରି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational