STORYMIRROR

Aishwarya Mishra

Abstract Inspirational

4  

Aishwarya Mishra

Abstract Inspirational

ଫେରିଛି ଗ୍ରୀଷ୍ମ

ଫେରିଛି ଗ୍ରୀଷ୍ମ

1 min
175

ଚଇତି ପବନ ଧିରେ ଧିରେ 

ମାଗିଲାଣି ମେଲାଣି 

ବୈଶାଖ ଆସିବ ବୋଲି, 

ଏବେ ଧରା ପ୍ରସ୍ତୁତ ହେଲାଣି,


ବୈଶାଖ ସହ ପୁଣି ଫେରିବ ଗ୍ରୀଷ୍ମ,

ଡହ ଡହ ଖରା ସହି ନ ପାରି

ଫାଟି ଆଁ କରିବ ଧରିତ୍ରୀର 

ଉର୍ବରମନା ମାଟିମଗ୍ନା ମନ ,

ତଥାପି ,

ତିଳେ ମାତ୍ର ଅନୁଶୋଚନା କରିବ ନାହିଁ

ମାତୃ ସୁଲଭା ଧରଣୀ ରାଣୀ ,


ଋତୁସ୍ନାତା ଧରିତ୍ରୀର ,

ଅଗ୍ରଜ ସନ୍ତାନ ପରା ଗ୍ରୀଷ୍ମ ,

ସନ୍ତାନ କେତେ ବି କଠୋର ହେଲେ ବି

ମାଆ କ'ଣ କେବେ କରିପାରେ ତା'କୁ ପର !


ଏତେ ଦିନ ପରେ ତା' କୋଳକୁ ଫେରିଛି

ପ୍ରାଣ ପ୍ରିୟ ହଜିଲା ଧନ ,

ଦେଖ କେତେ ଖୁସି ଆଜି ମାଆର ମନ !

ସ୍ଵାଗତ ପାଇଁ କରିଛି 

କେତେ ଯେ ସାଜ ସଜ୍ଜା ,


କୃଷ୍ଣଚୂଡ଼ାର ରକ୍ତିମ ଆଭାରେ 

କି ସୁନ୍ଦର ଦିଶୁଛି ମର୍ତ୍ତ ଭୁବନ !

ମଲ୍ଳୀ ମାଳତୀର ସୁଗନ୍ଧରେ ,

ମହକିତ ଆଜି ସମସ୍ତ ବନ-ଉପବନ ,

ଆମ୍ରକୁଞ୍ଜରୁ ଭାସି ଆସୁଛି

କୋକିଳର ସୁମଧୁର କୁହୁ ତାନ ,

ସମସ୍ତେ ସବୁ ଦିଗରୁ ପ୍ରସ୍ତୁତ

ଗ୍ରୀଷ୍ମକୁ କୋଳେଇ ନେବା ନିମନ୍ତେ,


ଅତି ଆଦରରେ

ମାଆ ଧରିତ୍ରୀ ପରଷି ଦେଉଛି 

ପାଚିଲା ଆମ୍ବର ରସମୟ ଫୁଆର

ପଣା ପାଣିର ଜଳୀୟ ଭଣ୍ଡାର ,


××××××


ମହାରୁଦ୍ର ସାଜି ଫେରିଛି ଗ୍ରୀଷ୍ମ

ରଚିବାକୁ ଏକ ମହାତାଣ୍ଡବ

ଜାଳିପୋଡ଼ି ନଷ୍ଟ କରିଦେବ ସେ

ସମସ୍ତ କଳୁଷିତ ମାନସିକତାକୁ ,


ସବୁ କୁର୍କମର ଦଣ୍ଡ ପ୍ରଦାନ ନିମନ୍ତେ

ସର୍ବୋପରି ନିଜକୁ ପ୍ରସ୍ତୁତ କରି

ଧରା ବକ୍ଷକୁ ଫେରିଛି ଗ୍ରୀଷ୍ମ,

ସବୁ ଆଡ଼େ ବିଛେଇ ହୋଇ ପଡ଼ିଛି 

ଏକ ଅଦ୍ଭୁତ ନୀରସତା,


ଚାରିଆଡ଼େ ହାହାକାର

କେଉଁଠି ପାଣି ପାଇଁ ତ 

କେଉଁଠି ଟିକେ ଖୋଲା ପବନ ପାଇଁ 

ଆଉ କେଉଁଠି ଚାଲିଛି ସଂଘର୍ଷ  

ଜୀବନକୁ ଜୀବନ ପରି ବଞ୍ଚିବା ପାଇଁ,


ପ୍ରତି ପାଦେ ପାଦେ ମନୁଷ୍ୟକୁ

ଚେତେଇ ଦେଉଛି ସେ,

ପ୍ରକୃତି ଠାରୁ କିଏ ବି ନୁହଁନ୍ତି ବଳୀୟାନ୍,

ପ୍ରକୃତିକୁ ନିଜ ଯନ୍ତ୍ର ସଭ୍ୟତା ତଳେ ଚାପି

ଆଗକୁ ବଢୁଥିବା ମନୁଷ୍ୟମାନଙ୍କୁ

ଶୁଣାଉଛି ଏକ ସତର୍କ ଘଣ୍ଟି 


ବଢି ଚାଲିଛି ପ୍ରଚଣ୍ଡ ରୌଦ୍ରର ପ୍ରକୋପ

ଜଳି ଯାଉଛି ଯେତେ ସବୁ ନକାରାତ୍ମକତା

ଏକ ନୂତନ ସୃଜନ ନିମନ୍ତେ,

ହେଉଛି ପଥ ପରିଷ୍କାର, 

ନବ ଜୀବନ ପ୍ରଦାୟୀ ବର୍ଷାର  

କରୁଛି ସେ ଆବାହନ,

ସୃଷ୍ଟି ହେବ ଏକ ନବୀନ ଯୁଗ ,

ସୁନ୍ଦର ମଙ୍ଗଳମୟ ବିଶ୍ଵ ସୃଷ୍ଟିର ,

ବୀଜମନ୍ତ୍ରରେ ସଭିଁଏ ହେବେ ଦୀକ୍ଷିତ ,


ଏଇ ନୂତନ ସମ୍ଭାବନାର ବାର୍ତ୍ତାବହ ସାଜି

ଆଜି ଧରାକୁ ଫେରିଛି ଗ୍ରୀଷ୍ମ ... ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract