ପଦ୍ମ ବେଶ
ପଦ୍ମ ବେଶ
କମଳ ନୟନ କମଳ ଆନନ
ନାମ ତୋ ପଦ୍ମ ଚରଣ
ପଦ୍ମେ ବିଭୂଷିତ ମାଘରେ ହେଉ ତ
ରଖିବାକୁ ଭକ୍ତ ମାନ ।
ସାହାପୁରେ ବାସ ମନୋହର ଦାସ
ବନ୍ଧିଲା ଭକତି ଡୋରେ
ଅତି ସରାଗରେ ଭକତି ସାଗରେ
ତୋଳିଲା ପଦୁଅଁ କରେ ।
ଦୂରୁ ଧାଇଁ ଆସି ଶ୍ରୀ ମନ୍ଦିରେ ପଶି
ପଦ୍ମ ଦିଅଇ ଚରଣ
ମଉଳିବା ଫୁଲ ଲାଗି ହୁଏ ନି ତ
ତଡ଼ିଲେ ସେବକ ଗଣ ।
ମାନସ୍ତାପେ ଭକ୍ତ ଦକ୍ଷିଣ ଦ୍ୱାରେ ତ
ବସିଲେ ପ୍ରଭୁଙ୍କୁ ଡାକି
ସେତେବେଳେ ନିଦ୍ରା ଦେବୀ ଆକର୍ଶିଲେ
ମୁଦି ହୋଇଗଲା ଆଖି ।
ପ୍ରଭୁ କହୁଛନ୍ତି ଉଠ ମନୋହର
ପଦ୍ମ ନେଇ କର ଲାଗି
ଭକତ ବତ୍ସଳ ପ୍ରଭୁ ଆଦିମୂଳ
ଭକତ ଦୁଃଖରେ ଭାଗି ।
ନିଦୁ ଫେଇ ଭକ୍ତ ଦେଖେତା ଫୁଲ ତ
ସଜଫୁଟା ପଦ୍ମ ଫୁଲ
ଖୁସିରେ ବିଭୋର ହୋଇ ମନୋହର
ଫୁଲକୁ ଦେଲା ପୟର ।
ହୂରି ପଡ଼ିଗଲା ଦେଉଳର ସାରା
ସେବକେ ଆଶ୍ଚର୍ଯ୍ୟ ହେଲେ
ଉଦ୍ୟୋତକେଶରୀ ସିଂହାସନ ଧାରି
ଭକ୍ତକୁ ଦର୍ଶନ କଲେ ।
ଗୋପନ ରାତିରେ ସ୍ୱପନ ପାଇଲେ
ରାଜା ଉଦ୍ୟୋତକେଶରୀ
ମାଘ ଶୁକ୍ଳ ଏକାଦଶୀ ତିଥି ଦିନ
ପଦ୍ମ ବେଶେ ଦଇତାରୀ ।।
ପଦୁଅଁ କେଶରୀ ଚାଉଳର ଖିରି
ତା ସାଥେ ଅମାଲୁ ଭୋଗ
ମାଘ ଶୁକ୍ଳ ଏକାଦଶୀରେ ଯୋଗାଏ
ଖଞ୍ଜା ବଡଚାଟ ମଠ ।
ସେ ଦିନୁ ହୋଇଲା ପଦ୍ମ ବେଶ ପରା
ଭକତର ରଖି ମାନ
ସବୁ ସହିଥାନ୍ତି କିନ୍ତୁ ସହନ୍ତିନି
ଭକତର ଅପମାନ ।