STORYMIRROR

Arjun Sahu

Classics Inspirational

3  

Arjun Sahu

Classics Inspirational

ପଦ୍ମ ବେଶ

ପଦ୍ମ ବେଶ

2 mins
268

ଭାବ ବିନୋଦିଆ ଭାବର ଠାକୁର    

ସେହି ପରା ଜଗନ୍ନାଥ । 

ଶ୍ରଦ୍ଧାରେ ଭକତ ଯାହା ଦେଇଥାଏ   

ବଢାଇ ନିଅନ୍ତି ହାତ ।।         

ଭକ୍ତ ଭାବ ଛଡା ହିରା ନିଳା ମୋତି 

ମାଣିକ୍ଯ ତା ପାଇଁ ତୁଛ।         

ଭକ୍ତଦିଆ ଦ୍ରବ୍ୟ ଶ୍ରଦ୍ଧାରେ ନିଅନ୍ତି     

ହେଉ ହଳାହଳ ବିଷ ।।        

ମନୋହର ଦାସ ନାମରେ ବ୍ରାହ୍ମଣ 

ଥିଲେ ଜଗନ୍ନାଥ ଭକ୍ତ ।     

ଶାସ୍ତ୍ର ପୁରାଣରେ ଦିନ ବିତି ଯାଏ  

ନ ମିଳୁ ପେଟକୁ ଭାତ ।।       

ନୀଳାଦ୍ରି ନାଥଙ୍କ ଦର୍ଶନ ପାଇଁ କି   

ବଳାଇଲେ ଥରେ ଚିତ୍ତ ।        

ବହୁ ଦୂର ପଥ ଚାଲି ଚାଲି ଦାସେ 

ଯିବାକୁ ହେଲେ ଉଦ୍ଯତ ।।    

ପ୍ରଖର ଖରାରେ ତୁଣ୍ଡ ଶୁଖଖିଯାଏ   

କାହିଁ ନ ପାଆନ୍ତି ବନ ।         

ଜଗନ୍ନାଥ ନାମ ଗାଇ ଗାଇ ଦାସେ 

ଭୂଲିଯାନ୍ତି ପଥଶ୍ରମ ।।         

କିଛି ଦୂରଗତେ ନଳିନୀରେ ଭରା     

ନଳିନୀ ଦେଖିଣ ଦାସେ ।        

ତୃଷା ଦୂର କରି ମନରେ ଭାବିଲେ    

ପ୍ରଭୁ ପାଇଁ ପଦ୍ମ ନେବେ ।।       

ଓଦା ଗାମୁଛାରେ ପଦ୍ମକୁ ଗୁଡାଇ     

ଚାଲିଲେ ଶ୍ରୀ କ୍ଷେତ୍ର ମୁଖେ।       

ଦୁଇ ଦିନ ଗତେ ଶ୍ରୀ କ୍ଷେତ୍ରରେ ଦାସେ

ପହଞ୍ଚି ମନ ସରାଗେ ।।        

ଗରୁଡ଼ ସ୍ତମ୍ଭରେ ମୁଣ୍ଡିଆ ମାରିଣ      

ଜଗମୋହନର ଠାରେ।          

ମଉଳା ପଦ୍ମକୁ ପଣ୍ଡା କରେ ଦେଲେ   

ଭକ୍ତି ଗଦ ଗଦ ଭୋଳେ ।।        

ସରାଗେ ଆଣିଛି ବହୁ ଦୂରୁ ପଦ୍ମ     

କାଳିଆ ଠାକୁର ପାଇଁ ।          

ପଣ୍ଡା ଦେଖି ପଦ୍ମ ବହୁ ଧିକ୍କାରିଲେ    

ଲଜ୍ଜା,ନାହିଁ ତୋହ ଠେଇ ।।       

ମଉଳା ଫୁଲକୁ ମଇଳା ଗାମୁଛା -   

ମଧ୍ଯରେ ଆଣିଛୁ ବାନ୍ଧି ।          

କହୁଛି କ'ଣ ନା ଠାକୁରଙ୍କୁ ଦିଅ     

ଉଛୁଳି ପଡୁଛି ଭକ୍ତି ।।          

କହି ଫିଙ୍ଗିଦେଲେ ପଦୁଅ ଗୁଡାକ   

ଧକ୍କା ଦେଇ ବିଦାକଲେ ।        

ମଉଳା ଫୁଲକୁ ସାଉଁଟି ହାତରେ   

ବଡଛତା(ମଠ)ଠେଇ ଗଲେ ।।      

ଅଖିଆ ଅପିଆ ଅଭିମାନେ ଦାସେ    

ଅଧିଆ ପଡିଲେ ଯାଇ ।         

ଭକ୍ତର ଆବେଗ ଜାଣିଲେ କାଳିଆ     

ସେହି ଯେଣୁ ଭାବଗ୍ରାହୀ ।।        

ସେଦିନ ରାତ୍ରରେ ସ୍ବପ୍ନ ରେ ରାଜାଙ୍କୁ 

କହିଲେରେ ରାଜା ଶୁଣ ।        

ତୋ ପଣ୍ଡାଙ୍କ ଦ୍ବାରା ମୋଭକ୍ତ ଲାଞ୍ଛିତ    

କରଯା ତାକୁ ସମ୍ମାନ ।।          

ମନୋହର ଦାସ ସରଧାରେ ପଦ୍ମ

ଆଣିଥିଲେ ମୋହପାଇଁ ।         

ମଉଳା କହିଣ ଫିଙ୍ଗିଦେଲେ ପଣ୍ଡେ   

ବିଦା କଲେ ଧକ୍କା ଦେଇ ।।      

ବଡଛତା ଠାରେ ଦୁଃଖ ରେ ରହିଛି

ଅଖିଆ ଅପିଆ ହୋଇ ।         

ସମ୍ମାନେ ଆଣିଣ ସେପଦ୍ମରେ ବେଶ   

କର ମୋର ନରସାଇ ।।        

ରାତ୍ର ନ ପାହୁଣୁ ପାତ୍ର,ମନ୍ତ୍ରୀ ସଙ୍ଗେ   

ଦାସ ପାଶେ ମିଳି ରାଜା ।  

ସମ୍ମାନେ ତାହାଙ୍କୁ ଉଠାଇ ଆଣିଲେ  

ଆଗେ ଉଡୁଥାଏ ଧ୍ବଜା ।।         

ରାଜାଧିରାଜଙ୍କ ପଦ୍ମବେଶ କର       

ଆଦେଶିଲେ ଗଜପତି ।          

ଦେଖିଲେ ପଣ୍ଡାଏ ସଜଫୁଟା ପଦ୍ମ    

ବେଶ କଲେ ତେଜି ଭ୍ରାନ୍ତି ।।       

ଜାଣିଲେଯେ ଦାସେ ଭକ୍ତ ସିରୋମଣି 

ସମ୍ମାନ କଲେ ବହୁତ ।        

ଜଗତନାଥଙ୍କ ପଦ୍ମବେଶ ଆହା      

ଦିଶଇ କେଡେ ଶୋଭିତ ।।   

ପରମ୍ପରା କ୍ରମେ ଏବେବି ପ୍ରଭୁଙ୍କ     

ମାଘ ଶ୍ରୀ ପଞ୍ଚମୀ ପୂର୍ବ ।

ବୁଧ ଅବା ସୌରି ବାସରେ      

ପଦ୍ମବେଶରେ ମଣ୍ଡଣୀ ।।        

ଧନ୍ଯ ମନୋହର ଧନ୍ଯତୁମ ଭକ୍ତି      

କଥା ରଖିଲ ଧରାରେ  ।       

ତୁମ ଲାଗି ସିନା ପ୍ରଭୁଙ୍କ ଅପୂର୍ବ    

ବେଶ ଦେଖୁଛନ୍ତି ନରେ ।।         

ଆହେ ଭକ୍ତପ୍ରାଣ କମଳା ରମଣ     

ଜଗତ ବାସୀଙ୍କ ପାଇଁ ।        

ଝରି ପଡୁଥାଉ ତମରି ଆଶୀଷ    

ଅରଜୁନ କରେ ଅଳି ।।         



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics