ପବିତ୍ର ସ୍ନାନ ପୂର୍ଣ୍ଣିମା
ପବିତ୍ର ସ୍ନାନ ପୂର୍ଣ୍ଣିମା
କି ବିଷମ କାଳ ହେଲା ଉପସ୍ଥିତ
ବୁଝି ପାରନ୍ତିନି କେହି
ଭକତ କପାଳେ ଏହି ପରି ଦିନ
ଲେଖିଅଛି କିବା ବିହି।
ମଉଡ଼ମଣି ତୁ ଭକ୍ତଙ୍କର ପରା
କାଳିଆ କଳା ରତନ
କେମିତି ତୁ ଧନ ରହିଛୁ ଶାନ୍ତିରେ
ବୁଝୁନୁ କାହାରି ମନ।
ଅପ୍ରମିତ ଦୁଃଖେ ଆଲୋଡିତ ପ୍ରାଣ
ଖୋଜଇ ଦର୍ଶନ ତୋର
ଲାଗୁଛି ଯେମିତି ପାପର ଭାରରେ
ଛିଣ୍ଡି ଗଲା ଭାବ ଡୋର।
ଜର୍ଜରିତ ହିଆ ବିଗଳିତ ହୋଇ
ବହୁଛି ଅଶ୍ରୁର ଧାର
ସେହି ଅଶ୍ରୁ ଧାରେ ସିନାନ କରିବୁ
ସ୍ନାନ ପୁନେଇରେ ତୋର।
ଭକତ ବତ୍ସଳ ତୁ ମଧୂସୁଦନ
କିବା ଲୀଳା ଖେଳାଇଛୁ
କେମିତି ତୋ ମନ ନ କରେ ରୋଦନ
ସ୍ଵାର୍ଥପର କି ହୋଇଛୁ।
ଏ ବିରହ ଆଉ ସହି ହେଉନାହିଁ
କୋଟି କୈବଲ୍ୟ ନାଥ
ଦରଶନ ପାଇଁ ଚକ୍ଷୁ ମୋର ଖୋଜେ
ବ୍ୟାକୁଳ ହେଲାଣି ଚିତ୍ତ।
ଆସ ଜଗନ୍ନାଥ ନେତ୍ରାମ୍ଭୂ ଜଳରେ
ପ୍ରକ୍ଷାଳିବି ଶ୍ରୀଅଙ୍ଗ ତୋର
ଭାବର ଡୋରକୁ ଶକ୍ତ ରଜ୍ଜୁ ଧାରେ
ବାନ୍ଧିବି କରି ସତ୍ଵର।
ଗଣପତି ଭଟ୍ଟ ଲଭିଲେ ସନ୍ତୋଷ
ଦେଖି ଗଜାନନ ବେଶେ
ମୁଁ ନୁହେଁ ଭକତ ତଥାପି ଆଶ୍ରିତ
ଆଶା ତୋ କୃପା ପୀୟୂଷେ।