ପୌରୁଷ
ପୌରୁଷ
ଜନମିଛି ନର ଜଗତେ
ସବୁ ଦିନ ନଥିବ
ଏ ଧରାଧାମରୁ ଦିନେ ନା ଦିନେ
ନିଶ୍ଚିତ ଯିବ ।
ପୌରୁଷ ସାଧନେ ତତ୍ପର
ସଦା ହୁଅଇ ଯିଏ
ମରଣର ପରେ ଅମର
ହୋଇ ରହଇ ସିଏ ।
କିଏ ଏହିପରି ପୌରୁଷ
କରିଅଛି ସାଧନ
ଶୁଣିଲେ ଆମର ପୁଲକିତ
ହେବ ତନୁ ମନ ।
ପୌରୁଷ ସାଧନେ ତତ୍ପର
ଭୀଷ୍ମ କର୍ଣ୍ଣ ଆବର
ପଞ୍ଚ ପାଣ୍ଡବ ଥିଲେ କଥା
ଏ ମହାଭାରତର ।
ଦରଦୀ ବନ୍ଧୁ ଗୋପବନ୍ଧୁ
ଦୀନ ଓଡିଆ ପାଇଁ
ପୌରୁଷ ଜାଗ୍ରତ କରିଲେ
ମନେ ଅଛି କି ନାହିଁ ।
ପୌରୁଷ ସଞ୍ଚାର କରିଲେ
କୋଟି ଓଡିଆ ପ୍ରାଣେ
ଦୀନ ଦୁଃଖୀ ବନ୍ଧୁ ସାଜିଲେ
କହ କିଏ ନ ଜାଣେ ।
ସତ୍ୟବାଦୀ ବନ ବିଦ୍ୟାଳୟ
ସେ ହାତେ ଗଢିଲେ
ପଞ୍ଚସଖାଙ୍କୁ ସଙ୍ଗେ ନେଇ
ଜ୍ଞାନ ଦୀପ ଜାଳିଲେ ।
'ସତ୍ୟବାଦୀ ' 'ସମାଜ ' ପରା
ତାଙ୍କ ମାନସ ସୁତ
ସାରା ଉତ୍କଳରେ ପୌରୁଷ
ଶକ୍ତି କଲେ ଜାଗ୍ରତ ।
ସ୍ବତନ୍ତ୍ର ଉତ୍କଳ ପ୍ରଦେଶ
ଭାଷା ଓଡିଆ ତାର
ଜାଗ୍ରତ ହେବାରୁ ପୌରୁଷ
ସୃଷ୍ଟି ହେଲା ଏହାର ।
ପୌରୁଷର ଗୁଣ ଗାନରେ
ଶତମୁଖ ହୋଇବା
ପୁରୁଷାର୍ଥ କରି ସରବେ
ଜାତି ଟେକ ରଖିବା ।
