ପୌରୁଷ
ପୌରୁଷ
କିଏ କେଉଁ କୁଳେ ଜନମ ଲଭିବ
କିଏ ତା କହି ପାରିବ
ପୂରୁବ ଜନମ କରମ ଫଳରେ
ଜୀବର ଜନମ ହେବ ।
ପୁରୁଷାର୍ଥ ପାଇଁ ଯତନ କରିଲେ
ପୌରୁଷ ଜାଗ୍ରତ ହେବ
ପୌରୁଷ ଜାଗ୍ରତ ହୋଇଲେ
ତୁମକୁ ରତନ ପ୍ରାପତ ହେବ ।
ପୁରୁଷାର୍ଥ ବଳେ କାର୍ଯ୍ୟ ସିଦ୍ଧି ହୂଏ
ତାହା ବିହୀନେ ଅସିଦ୍ଧି
ପୁରୁଷାର୍ଥ ବିନା ଖାଲି ମନୋରଥେ
କାର୍ଯ୍ୟ କି ହୋଇବ ସିଦ୍ଧି ।
ସିଂହଟିଏ ଯଦି ଶୋଇ ରହିଥିବ
ପୁରୁଷାର୍ଥ ନ କରିବ
ଜାଣିଶୁଣି ତାର ମୁଖରେ କି ଅବା
ମୃଗଟି ଆସି ପଶିବ ।
ପୁରୁଷାର୍ଥ କଲେ ନିରନ୍ତର ନିଶ୍ଚେ
କର୍ମ ଅନୁସାରେ ତୋର
ଫଳ ଲାଭ ହେବ କର୍ମଫଳ ଆଶା
ନ ରଖ କେବେ ମନର ।
ପୌରୁଷ ବଳରେ ରତନ ମିଳିବ
ନାହିଁ ଏଥିରେ ସନ୍ଦେହ
ପୁରୁଷାର୍ଥ କରି ରତ୍ନ ନ ମିଳିଲେ
ଦୋଷ ନିରୂପଣ ଥୟ।
କି ଦୋଷ ରହିଲା ସେ ପୁରୁଷାର୍ଥରେ
କଲେ ତାର ପ୍ରତିକାର
ପୁରୁଷାର୍ଥ ବଳେ ସାର୍ଥକ ହୋଇବ
ନିଶ୍ଚିତ କର୍ମ ତୁମର ।
ଦଇବ ହାତରେ ଜନମ ରହିଛି
ନିଜ ହାତେ ପୁରୁଷାର୍ଥ
ପୌରୁଷ ବଳରେ ସର୍ବ ସିଦ୍ଧି ହୁଏ
ଏହା ସଦା ସୁବିଦିତ ।
