ପୌରୁଷ ସାଧନ
ପୌରୁଷ ସାଧନ
ପୌରୁଷ ହିଁ କରେ ପୁରୁଷ ଜୀବନେ
ଶ୍ରେଷ୍ଠତ୍ୱ ପ୍ରତିପାଦନ
ପ୍ରତି କାର୍ଯ୍ୟରେ ଯେ ସଂସାରର ହିତ
ହୁଅଇ ପ୍ରତିଫଳନ |
ଯେବେ ଯେଉଁ କାର୍ଯ୍ୟ କରିବାକୁ ହୁଏ
ମନେ ଭରେ ନିଶ୍ଚିନ୍ତତା
ଶ୍ରମ ତାର କେବେ ବିଫଳ ହୁଏନା
ମିଳଇ ସଦା ପୂର୍ଣ୍ଣତା |
ନିଜ କର୍ମେ ତାର ଗଭୀର ବିଶ୍ୱାସ
ଆଗକୁ ଆଗେଇ ନିଏ
ଯେତେ ଝଡ଼ ଝଞ୍ଜା ଆସିଲେ ବି ପଥେ
ସାଫଲ୍ୟତା ପାଇଁ ସହେ |
କର୍ମ ପ୍ରତି କେବେ ବିମୁଖ ହୁଏନା
ଜୀବନେ ତା ସାର ଏହି
ସତ୍ୟ ଧର୍ମ ପଥେ ଯାତ୍ରା ତା ଦୁର୍ବାର
କେବେ ବି ଅଟକେ ନାହିଁ |
ନିଜ ପରିବାର ଅଭାବ କଷଣ
ଶ୍ରମ ବଳେ ଦୂର କରେ
ସଭିଙ୍କୁ ସେନେହ ବାଣ୍ଟିଥାଏ ସିଏ
ଭରି ପ୍ରୀତି ହୃଦୟରେ |
ଅଭାବ ଭିତରେ ରହିଲେ ବି କେବେ
ବିବେକ ହରାଏ ନାହିଁ
ପଡୋଶୀର ଦୁଃଖେ ଛିଡା ହୋଇଥାଏ
ପୂର୍ଣ୍ଣ ସହଯୋଗୀ ହୋଇ |
ନିଜର ପୌରୁଷ ନିଜ ପାଇଁ ଆଣେ
ସମ୍ମାନ ଯେ ସମାଜରେ
ମିଥ୍ୟା ଅଭିନୟ କଳଙ୍କର ଗାର
ଲେଖିଥାଏ ଜୀବନରେ |
ପୌରୁଷ ଯାହାର ଯେତେ ହୁଏ ଶକ୍ତ
ସେତେ ସିଏ ମହୀୟାନ
ଜୀବନ ଯାତ୍ରାର ପ୍ରତି ପଦକ୍ଷେପେ
ମିଳେ ପୂର୍ଣ୍ଣ ଅନୁଦାନ |
କର୍ମ ସହିଷ୍ଣୁତା ହୁଏ ଧର୍ମ ସ୍ନାତା
ହୋଇ ଜୀବନର ଲକ୍ଷ୍ୟ
ହିଂସା ପ୍ରତିହିଂସା ନୁହଁଇ ପୌରୁଷ
କରେ ନାହିଁ କେବେ ଦକ୍ଷ |