ପାଠ ଶାଠ ଲୋଡା ନାହିଁ
ପାଠ ଶାଠ ଲୋଡା ନାହିଁ
“ଦେଖ ଦେଖ, ପୁଅ ପଢୁନାହିଁ ପାଠ”
କହିଲେ ଘରଣୀ ରାଗି
“ପରୀକ୍ଷା ହେଲାଣି ମୁଣ୍ଡ ପରେ, ହେଲେ
ବୁଲୁଛି ଅତର ମାଖି ।
ଇଂରାଜୀ ହେଉନି, ଗଣିତ ହେଉନି
ହେଉନି ବି ମାତୃଭାଷା
ପରୀକ୍ଷାର ଫଳ ବାହାରିଲା ପରେ
ହେବ ନିଶ୍ଚେ ଲୋକହସା ।
ମାଷ୍ଟ୍ରେ କହୁଛନ୍ତି ପାଠେ ନାହିଁ ତା’ର
ମନ ଧ୍ୟାନ ରୀତି ନୀତି
ରାଜନେତା ପରି ବଡ ବଡ କଥା
କହୁଛି ବୁଲି ସେ ନିତି ।
ଟାଉଟର ପରି ରଙ୍ଗଢଙ୍ଗ ତା’ର
ପକାଏ କଥାରେ ସର
ଆଜହୁଁ ଏମିତି ହୋଇଲେ କେମିତି
କରିବ ଘରସଂସାର ?
ଚାକିରିର ଯାହା ଅବସ୍ଥା ହେଲାଣି
ମିଳିବ କି ତାକୁ କାହିଁ !
ଏବେଠୁ ତାଗିଦା ନକଲେ ଜାଣିଥା
କାନ୍ଦିବ କବାଟ ଦେଇ ।“
“କାହିଁକି ମିଛରେ ଭାବନା କରୁଛ ?”
କହିଲେ ଗୃହସ୍ଥ ହସି
“ଚାକିରି କରି କେ ସରଗ ଗଲାଣି
ବେକାରେ ଚିନ୍ତୁଛ ବସି !
ଆମ ବେଳେ ବି.ଏ., ଏମ୍.ଏ ବୋଲି କେତେ
ମିଳୁଥିଲା ସନମାନ
ଏବେ କିନ୍ତୁ ବି.ଏ., ଏମ୍.ଏ ବାଲା କୁଲି
ମୂଲିଆ ସଙ୍ଗେ ସମାନ ।
ଯେତେ ଡିଗ୍ରୀଧାରୀ, ଦେଖ ଘିରି ଘିରି
ବୁଲୁଛନ୍ତି ରାସ୍ତା ଘାଟେ
ସେମିତିଆ ଦିନ ମୋ ପୁଅ ବି ଦେଖୁ
ଚାହିଁବି ନାହିଁ ମୁଁ ମୋଟେ ।
ଠିକ୍ ଚିହ୍ନିଛନ୍ତି ମାଷ୍ଟର ତାହାର
କରିବ ସେ ରାଜନୀତି
ଥରେ ମିନିଷ୍ଟର ହେଇଗଲେ ବସି
ଖାଇବେ ତା’ ପୁଅ ନାତି ।
ସେତିକି କେବଳ ନୁହେଁ ପ୍ରିୟତମା
ଆହୁରି ଶୁଣିଯା’ କଥା
ରାସ୍ତାଘାଟେ ମୁଣ୍ଡ ଉଠେଇ ଚାଲିବ
ହେଇ ମିନିଷ୍ଟର ମାତା ।
ସହରର ଯେତେ ଛକ ଜାଗା ଅଛି
ଶୋଭା ପାଇବ ମୋ ମୂର୍ତ୍ତି
ମୃତ୍ୟୁ ପରେ ମୋର ଗଳେ ଫୁଲହାର
ପାଉଥିବି ନିତି ନିତି ।
ମୋ ପରି ପାଇକି ଚାକିରିଆ ପୁଅ
କି ଲାଭ ପାଇଲେ ବାପା !
ବଞ୍ଚିଥିଲା ବେଳେ ଚିହ୍ନିଲେନି, କାହିଁ
ଉଠିବ ମରିବା କଥା !
ସହର କଥା ତ ରହୁ ବହୁ ଦୂରେ
ଭିଟାମାଟିରେ କି ଗୋଟେ
ମୂର୍ତ୍ତିଟେ ବସେଇ ଫୁଲହାରଟିଏ
ପିନ୍ଧେଇ ପାରିଛି ସତେ ?
ଦରକାର ନାହିଁ ପାଠ ପଢାପଢି
ବୁଲୁଥାଉ ପୁଅ ମୋର
ସାଙ୍ଗଦୋସ୍ତି ସହ ମଉଜ କରିକି
ବଢାଉ ନିଜ ଆସର ।
ବର୍ତ୍ତମାନ ଚିନ୍ତା ଛାଡିଦେଇ କର
ସୁନେଲି ଭବିଷ୍ୟ ଚିନ୍ତା
ସେଇ ସ୍ୱପ୍ନ ଦେଖ, ଯୋଉଦିନ ନାମ
ନେଉଥିବେ ମୋର ନେତା ।
ଜନ୍ମଦିନ ସାଙ୍ଗେ ମରଣର ଦିନେ
ହୋଇବ ସର୍କାରୀ ଛୁଟି
ସେ ଛୁଟିରେ ସାରା ରାଇଜର ଲୋକେ
କରୁଥିବେ ଘରେ ପାର୍ଟି ।
ତିରିଶ ବର୍ଷର ଚାକିରି କାଳରେ
କରି ନପାରିଛି ଯାହା
ପୁଅର ଶାସନ କାଳରେ ତାହାର
ମଜା ମୁଁ ଲୁଟିବି, .. ଆହାଃ !
ପଛୁଆ ବୁଦ୍ଧିରେ କରିବିନି ଆଉ
ତାଗିଦା ପାଠର ପାଇଁ
ଏ ରାଜ୍ୟର ରାଜା ହେବା ପାଇଁ ପ୍ରିୟେ
ପାଠଶାଠ ଲୋଡା ନାହିଁ।
-0-