ପାର୍ବଣର ସଜବାଜ
ପାର୍ବଣର ସଜବାଜ
କାହିଁକି ଲୋ ମାଆ ଆସିବୁ ମରତ
କିବା ଦେଖିବାକୁ ଆଉ,
ଉଜୁଡ଼ି ଗଲାଣି ସୁଖର ସପନ
ସବୁ ମାଆ ଥାଉ ଥାଉ ।
ମରତ ମାଟିର ନାହିଁ ସଜବାଜ
ପୂଜା ମଣ୍ଡପରେ ଭିଡ଼,
ମଶାଣି ମାଟିରେ ଗଡୁଛି ଏସନ
ଶବମାନଙ୍କ ହାଡ଼ ।
ଅଶିଣରେ ନାହିଁ ପବନର ଢେଉ
ଖେଳୁ ନାହିଁ କାଶଫୁଲ,
ମନମାରି ଦେଇ ଶୋଇଛି ଶରତ
ନାହିଁ ତା'ର ହଲଚଲ ।
ପାର୍ବଣର ଭିଡ଼ ନୂଆ ସଜବାଜ
ପିଠାପଣା ଖିରି,ପୁରୀ,
ବୋଉ ଗଢିବାକୁ ମନା କରୁଅଛି
କରୋନା ରୋଗକୁ ଡରି ।
ଆସୁଛତ ଆସ ମନା ନାହିଁ କିଛି
ମନରେ ନକରି ରୋଷ,
ଜଗତ ଜନନୀ ଭୁବନ ମୋହିନୀ
ଧରି ତୁମେ ନୂଆ ବେଶ ।
