ମୋ ପିଲାଦିନ
ମୋ ପିଲାଦିନ
ଯେଉଁଠି ଦିଶଇ ଦିନରେ ସୂରୁଜ
ରାତ୍ରୀ ହେଲେ ଚାନ୍ଦ ତାରା,
ସେହି ଉଆସରେ ଜନମ ମୋହର
ଆଲୋକ ଅନ୍ଧାର ଭରା ।
ଧୂଳି ,ବାଲି, ମାଟି, ଇଟା ପଥର ଯେ
ହୋଇଛି ମୋ ଖେଳ ସାଥି,
କେବେ ସଡକର ଆବର୍ଜନା ପରେ
ଯାଇଛି ସମୟ ବିତି ।
ଦେଖିନି ମୁୁଁ କେବେ ଫୁଲର ବଗିଚା
ଧରିନି ପରଜାପତି ,
ମୂଷା ମାଛି ପୁଣି ବିଷାକ୍ତ ଗନ୍ଧକୁ
ଅନୁଭବ କରେ ନିତି ।
ମାଆ କୋଳେ ଶୋଇ ଶୁଣି ନାହିଁ ମୁହିଁ
ତା ଓଠର ପଦେ ଗୀତ ,
ଅଳି କରି ନାହିଁ ତା ପାଖରେ ଯାଇ
ମୋର ଏ ଅବୁଝା ଚିତ୍ତ ।
ବୁଝିନି ମୁଁ କେବେ ବିଦ୍ୟାର ମହତ୍ତ୍ୱ
ଦେଖିନାହିଁ ବିଦ୍ୟାଳୟ ,
ପ୍ରଭୁଙ୍କ ସ୍ଵରୂପ ଜାଣିନାହିଁ ମୁହିଁ
ଯାଇ ନାହିଁ ଦେବାଳୟ ।
ପେଟ ପାଇଁ କେବେ ଦିନ ଯାଏ ବିତି
କେବେ ବିତିଯାଏ ରାତି ,
ଭବିଷ୍ଯତ ମୋର ଅଳିଆ ଗଦାରେ
କେବେଠୁ ହୋଇଛି ପୋତି ।
କିଏ କହେ ଭୂତ ଅଳିଆଗଦାର
ରାସ୍ତା କଡ଼େ ଅଛି ଚାହିଁ ,
କିଏ କହେ ଛୁଆ ଶ୍ୱାନ ଶୃଗାଳର
ପଛେ ପଛେ ଆସେ ଧାଇଁ ।
ଛୁଇଁ ଦେଲେ କିଏ ଦୂରେ ଠେଲିଦିଏ
ଘୃଣା ମନେ ଦିଏ ଗାଳି,
ଚିକ୍କଣ ଦେହରେ ନୂଆ ପୋଷାକରେ
ଲାଗିଯିବ କାଳେ ଧୂଳି ।
କାହାକୁ କହିବି କିଏ ବା ଶୁଣିବ
ପିଲା ଦିନ କଥା ମୋର,
ସଭିଏ ତ ଏଠି ଆପଣ ସ୍ୱାର୍ଥରେ
ହେଉଛନ୍ତି ତରବର ।