STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ପାପ ପଞ୍ଜୁରୀରେ ପୁଣ୍ୟର ଶାରୀ

ପାପ ପଞ୍ଜୁରୀରେ ପୁଣ୍ୟର ଶାରୀ

1 min
396

ପାପ ପଞ୍ଜୁରୀରେ ପୁଣ୍ୟର ଶାରୀଟି

ବସି ବସି କାହିଁ କେତେ ଭାବୁଛି

ହରେ କୃଷ୍ଣ ହରେ କୃଷ୍ଣ ଡାକୁ ଅଛି

ପାପ ବଳୟରେ ହଜି ଯାଉଛି ।


ସର୍ବଶ୍ରେଷ୍ଠ ସୃଷ୍ଟି ମାନବ ଜୀବନ

ପ୍ରତିଟି ଅଙ୍ଗର ସ୍ଵତନ୍ତ୍ର ମାନ 

ମାନ ହଜାଇ ଯେ ପଞ୍ଜୁରୀ ହୋଇଛି

ପାପ କାଳିମାରେ ଅତି ନିଉନ ।


ବିବେକ ବନ୍ଧିତ ପାପ ର ଚାପରେ

ତା କଥା ମନକୁ ଶୁଣା ଯାଉନି

ଅବିବେକିତାର ଲୁହା ଶିକୁଳି ରେ

ବିବେକର ଗଳା ହୋଇଛି ରୁନ୍ଧି ।


ପାପ ପଞ୍ଜୁରୀଟି ସଜାଇ ହୋଇଛି

ସମସ୍ତଙ୍କୁ ଆକର୍ଷିତ କରୁଛି

ଭିତରେ ମଇଳା ପାପ ପଙ୍କେ ଭରା

ଶାରୀ ଟିର ଗଳା ରୁଦ୍ଧ ହେଉଛି ।


ପଞ୍ଜୁରୀ ଭିତରେ ଶାରୀ ଦେଖୁଅଛି

ସବୁ କିଛି ହୁଏ ଦୁରୁପଯୋଗ

ହାତ କରୁନାହିଁ ସହଯୋଗ ପରା

କରୁନାହିଁ ସିଏ ପ୍ରଭୁଙ୍କୁ ଜପ ।


ଶାନ୍ତି ପ୍ରିୟ ଶାରୀ ଦେଖୁଛି ଭିତରୁ

ଅଶାନ୍ତ ଝଡରେ ପଞ୍ଚୁରୀ କ୍ଷୁର୍ଣ୍ଣ

ଶରୀର ପଞ୍ଜୁରୀ ଶାନ୍ତି ଖୋଜୁ ଅଛି

ଶାନ୍ତି ନିଜ ପାଖେ ରହିଛି ପୂର୍ଣ୍ଣ ।


ପ୍ରଭୁଦତ୍ତ ହସ୍ତ , ପଦ , ମନ , ଅବା

ଇନ୍ଦ୍ରିୟ କରୁନି ଉଚିତ୍ କାର୍ଯ୍ୟ

ସ୍ଵାର୍ଥ ଲାଳସାରେ ପାପ ଅରଜୁଛି

ପଞ୍ଜୁରୀ ହୋଇଛି ପାପରେ ସଜ ।


ପାପ ପଞ୍ଜୁରୀରେ ପୁଣ୍ୟ ଶାରୀଟିର

ଅନୀତି ରେ କଣ୍ଠ ରୁଦ୍ଧ ହେଉଛି

ମନ ଓ ଶରୀର ଶାନ୍ତି ଖୋଜୁ ଅଛି

ଅଶାନ୍ତି ର ରାସ୍ତା ବାଛି ନେଇଛି । 


ଆତ୍ମାର ଡାକ ତ କାନରେ ପଡ଼ୁନି

ମଣିଷ ପଣିଆ ହଜି ଯାଉଛି

ଆତ୍ମା ରୁପୀ ଶାରୀ ବାହୁନି କାନ୍ଦୁଛି

ମୁକ୍ତି ଦିନଟିକୁ ଚାହିଁ ରହିଛି ।


ଆତ୍ମା ଶାରୀ ଟିର ସତ୍ୟ, ପ୍ରେମ, ଶାନ୍ତି

ପବିତ୍ରତା ଅଟେ ମୂଳ ଆଧାର

ସେଇ ଆଧାରରେ ଶରୀର ପଞ୍ଜୁରୀ

ହୋଇଥାଏ ପରା ମହିମା ମୟ।


ଆତ୍ମା ର ଡାକରେ ଶରୀର ଚାଲିଲେ

ଆତ୍ମିକ ଶାନ୍ତିର ବରଷା ହେବ

ସେଇ ବରଷାରେ ପାପର କାଳିମା

ଧୋଇ ଯେ ମହିମା ମୟ ହୋଇବ ।


ପାପ ପଞ୍ଜୁରୀରେ ଶାନ୍ତି ଦରାଣ୍ଡିଲେ

ଉଦ୍‌ ବିଗ୍ନତା ମନ ରୁଦ୍ଧ କରିବ

ଅବିନାଶୀ ଆତ୍ମା ଡାକ ଶୁଣୁ ଥିଲେ

ଆତ୍ମ ସନ୍ତୋଷରେ ମନ ଭରିବ ।


ପାପ ପଞ୍ଜୁରୀ କୁ ପୁଣ୍ୟ କର୍ମ ସ୍ରୋତେ

ନିର୍ମଳ କରିବା ଆମରି କାମ

ପୁଣ୍ୟ ଶାରୀଟିକୁ ପୁଣ୍ୟ ପଞ୍ଜୁରୀରେ

ରଖିଦେଲେ ସିନା ବଢିବ ମାନ ।


ଶରୀର ହୋଇବ ପୁଣ୍ୟ ମନ୍ଦିରଟେ

ଶୁଭ ଶଙ୍ଖ ସଦା ବାଜୁ ଯେ ଥିବ

ଆତ୍ମାନନ୍ଦେ ମଜ୍ଜି ମଣିଷ ଜୀବନ

ମୁକତିର ପଥ ପାଇ ଯେ ଯିବ ।


 


Rate this content
Log in

Similar oriya poem from Inspirational