ପାହାନ୍ତିଆ ସପନ
ପାହାନ୍ତିଆ ସପନ
ସପନରେ ଆସି ବୃକ୍ଷର ଦେବତା
କହିଗଲେ କାନେ ମୋର
ଚାରା ଟିଏ ଆଣି ରୋପଣ କରିବୁ
ଫଳିବ ଟଙ୍କା ଜବର ।
ପାହାନ୍ତି ସପନ ସତ ହୁଏ ବୋଲି
ଶୁଣିଛି ଅନେକ ବାର
ନିତ୍ୟ କର୍ମ ସାରି ଚାରା କିଣିବାକୁ
ବାହାରି ଗଲି ବଜାର ।
ସବୁଠୁ ଦାମିକା ଚାରା ଟିଏ ଦେବ
ମୂଲ୍ୟ ହେଉ ଯେତେ ତାର
ଚାରା ଗଛ ଧରି ନର୍ସରୀରୁ ଫେରି
ଯୋଗାଡ଼ ସାର, ଗୋବର ।
ଗାତ ଟିଏ ଖୋଳି ଅତି ଯତନରେ
ନେଇ ପୋତି ଦେଲି ଚାରା
ନିତି ଦିନ ପାଣି ଦେଇ ମୁଁ ଦେଖୁଛି
ବଢୁଛି କି ନାହିଁ ପରା ।
ଚାହୁଁ ଚାହୁଁ ପାଞ୍ଚ ବରଷ ହୋଇଲା
ଅଙ୍ଗେ ଅଙ୍ଗେ ଫୁଲ ଭରା
ଫୁଲରୁ ଟଙ୍କା ଟା କେବେ ସେ ହୋଇବ
ତୋଳିବି ଚାହିଁଛି ପରା ।
ପକ୍ବ ହୋଇଗଲାଣି ଫଳିଥିବା ଫଳ
ଦେଖାତ ନାହିଁ ଟଙ୍କାର
ମୁଣ୍ଡକୁ ମୋହର ଆସିଲା ବୁଦ୍ଧି ଟେ
ବିକିଲି ନେଇ ବଜାର ।
ଫଳର ବେପାର ହୋଇଲା ଜବର
ଟଙ୍କା ମିଳିଲା ହଜାର
ପାହାନ୍ତି ସପନ କଥା ଭାବି ଭାବି
ହସିଲି ଅନେକ ବାର ।
ବୃକ୍ଷ ପିତା ମାତା ବୃକ୍ଷ ହିଁ ଦେବତା
ବୃକ୍ଷ ହିଁ ପ୍ରାଣ ଇଶ୍ଵର
ପାହାନ୍ତି ସପନ ସତ ହୋଇଗଲା
ବୃକ୍ଷ ଦେବତା ଜୁହାର ।