ଓଠ
ଓଠ


ଓଠ କହେ କଥା ପିଇଯାଏ ବ୍ୟଥା
ଆଖିର ଲୁହକୁ ଖୋଜି
ସେଇ ଓଠଧାରେ ହସର ମୁକୁତା
ବୈକୁଣ୍ଠ ଦିଏ ସରଜି ।
ଶିଶୁର ଓଠରେ ଦରୋଟି ବଚନ
ରିପୁ ପ୍ରାଣ ତରଳାଇ
ଲକ୍ଷ୍ମଣରେଖାକୁ ଶତଥର ଡିଏଁ
ପଥର ପାଣି ହୁଅଇ ।
ଓଠର କୋଣରେ ଲାଜୁଆ ହସଟି
ପ୍ରୀତିର ସୁରଭି ବୁଣେ
ସପ୍ତତାଳ ପଙ୍କ ଅତଳ ଗରଭୁ
ଫୁଲଶର ଖୋଜି ଆଣେ ।
ଓଠରେ କୁଭାଷା ଶମଶାନ ଦୁଃଖ
ବନ୍ଧନ ମରଣ ଆଣି
ଆସେ ବେଳେବେଳେ ରସନା ପ୍ରାଚୀର
ଡିଏଁ ନ ପାରଇ ଜାଣି ।
ବୃଦ୍ଧର ଥରିଲା ଓଠ କହୁଥାଏ
କେତେ ଯେ ଗହନ କଥା
ଶୁଣିବାକୁ ବେଳ ନ ଥାଏ କାହାର
ହୋଇଥାଏ ତାହା ପିତା ।
ଓଠର ସୌନ୍ଦର୍ଯ୍ୟ ହୃଦୟର କଥା
କହୁଥାଏ ଅବିରତ
ବିଳାସୀ ହେଉ କି ପ୍ରୀତି ପିଆସୀ ସେ
ଅବା ବ୍ୟଥା ଜର୍ଜରିତ ।