STORYMIRROR

Anirudha Kund

Classics

2  

Anirudha Kund

Classics

ଓଡିଆର ବାରମାସ

ଓଡିଆର ବାରମାସ

1 min
354

ବୈଶାଖ...

ସୂର୍ୟ୍ଯ ଦେବତାଙ୍କ ମେଷରେ ବାସ

ବିଷୁବ ସଂକ୍ରାନ୍ତି ବୈଶାଖ ମାସ

ଓଡିଆ ଜାତିର ନୂଆ ବରଷ

କେତେ ଲୋ ଆନନ୍ଦ କେତେ ହରଷ


ବଡ ହୁଏ ଦିନ ଛୋଟିଆ ରାତି

ଦିନୁ ଦିନ ବଢେ ଅସହ୍ୟ ତାତି

ଠେକି ପାଣି ଟେକି ପୂଜେ ବୃନ୍ଦାବତୀ 

ବେଲ ପଣା କରେ ଉଦର ଶାନ୍ତି


ଜେଷ୍ଠ...


ଟାଇଁ ଟାଇଁ ଖରା ଆସିଲେ ଜେଷ୍ଠ

ଝାଇଁ ମାରେ ଦେହ ଲାଗଇ କଷ୍ଟ

ଦେବସ୍ନାନ କରେ କାଳିଆ ଦୁଷ୍ଟ

କୃଷ୍ଣସଙ୍ଗୀ ଭକ୍ତ ଦର୍ଶନେ ତୁଷ୍ଟ


ଆଷାଢ...


ଆଷାଢ଼ ଆଣେ ଅଶେଷ ଶାନ୍ତି

କମି କମି ଯାଏ ଧରାରୁ ତାତି

ନନ୍ଦିଘୋଷେ ବସେ କାଳିଆ ହାତି

ଘୁରିବୁଲେ ନେଇ ଭକତ ସାଥି


ଶ୍ରାବଣ ...


ମଉସୁମୀ ମେଘ ଶ୍ରାବଣ ର ଭେଟି

ଝୁମି ଝୁମି ଆସି ଚୁମି ଯାଏ ମାଟି

ମା ରାନ୍ଧେ ସୁଅଦିଆ ବେଶର ବାଟି

ବାଲିଛତୁ ସଙ୍ଗେ କଷି ଓଉ କାଟି


ଭାଦ୍ରବ...

ଭାଦ୍ରବ ଆକାଶେ ଧଳା ବଉଦ

ନନ୍ଦରାଜ ଘରେ ମହା ଆନନ୍ଦ

ଯଶୋଦା ମା କୋଳେ କାଳିଆ ଚାନ୍ଦ

ମନ୍ଦ ମନ୍ଦ ହସେ ଛନ୍ଦେ ଗୋବିନ୍ଦ


ଆଶିଣ...

କାଶତଣ୍ଡୀ ନେଇ ଆଶିଣ ଆସେ

ଭସାବାଦଲ ଫାଙ୍କେ ଜହ୍ନ ହସେ

କାଚକେନ୍ଦୁ (ପରି) ଶିସିର ବିନ୍ଦୁ ଦିଶେ

ଶାରଦୀୟ ଶୋଭା ପ୍ରକୃତି ରସେ


କାର୍ତ୍ତିକ ...

ମସକ କଟେ ଖାଇ ହବିଷ

ପୂର୍ଣ୍ଣ୍ୟ କାର୍ତ୍ତିକ ର ପଞ୍ଚୁକେ ଶେଷ

ବୋଇତ ବନ୍ଧାଣ ସାଧବ ବେଶ

ବାଲି ଯାତରା ଆମ ଇତିହାସ 


ମଗୁଶିର...

ଥୁରୁଥୁରୁ ଶୀତ ମଗୁଶିର ମାସେ

ଧାନକେନ୍ଦା ଜଟେ ଲକ୍ଷ୍ମୀ ମାଣ ବସେ

ମହମହ ହୋଇ ଗନ୍ଧବୋଳା ବାସେ

ଘରଭୋଗ ଯାଏନି ଅପର ପାଶେ


ପଉଷ...

ଶୀତୁଆ ସକାଳ ପଉଷ ଜାଡ

ଗାଧୁଆ କଷଣ ଥରାଏ ହାଡ

ଶାମ୍ବଦଶମୀ ଭୋଗ ଭଳିଭଳି

ପୋକା ବାଇଗଣ କୁ ଦାଣ୍ତଧୁଳି


ମାଘ...

ବାଘ ପାରିକା ମାଘ ମାସ ଶୀତ

ଶିରିପଞ୍ଚମୀ ମନ ଉଲ୍ଲାସିତ 

ପାହାନ୍ତି ପହର ଚନ୍ଦ୍ରଭାଗା ତୀର୍ଥ

ସପ୍ତମୀବୁଡେ ପାପରୁ ମୁକ୍ତ


ଫାଲଗୁନ...

ମାଘ ଗଲାଣି, ନାହିଁ ଆଉ ଥଣ୍ଡା

ପତ୍ରଝଡାରେ ଜଗତଟା ଲଣ୍ତା

ଫାଲଗୁନ ଆସେ ହୋଲିକୁ ନେଇ

କୃଷ୍ଣପ୍ରେମ ରସ ଦୋଳରେ ଭାଈ

ଚୈତ୍ର..

ନାହିଁ ମାଘୁଆ କୁହୁଡି କାକର

ଚଇତି ମାସ ସଂକ୍ରାନ୍ତି ମକର

ସୁର୍ୟ୍ୟଦେବ ଗତି ହୁଏ ବକର

ଦିନୁ ଦିନ ଖରା ହୁଏ ପ୍ରଖର


ଭୁଲିବା ଆଗରୁ ରଖ ନଜର

ବାରମାସ ସ୍ମୃତି ଆମ ସଂସ୍କାର

ନାନା କଥା ନାନା ଗାଥା ଆସର

ଗର୍ବଗୌରବ ଓଡିଆ ଜାତିର


Rate this content
Log in

Similar oriya poem from Classics