ଓଡିଆ ଖାଦ୍ୟ
ଓଡିଆ ଖାଦ୍ୟ
ଆମେ ଉତ୍କଳୀୟ ଆମ ନାଁ'ଟି ଓଡିଆ
ଖାଇବା ଥାଳିରେ ଆମ ପାଇକ ପଣିଆ ।
ଭାତ ଡାଲି ଛ ତିଅଣ ନଅଗୋଟି ଭଜା
ଡାଲମା ଚଟଣି ଯେ ସନ୍ତୁଳା ଶାଗ ଭଜା ।
ପଖାଳ ସହିତ କାଂଜି ଓଲୁଅ ଚଟଣି
ଆମ୍ବ କସି ଭଙ୍ଗା ଲେମ୍ବୁ ବସାଦହି ପୁଣି ।
ଶାଗଭଜା ମାଛଭଜା ଶୁଖୁଆ ରାଇତା
ବଡିଚୁରା ମଂଜାରାଇ ଆଳୁର ଭରତା ।
ଏଣ୍ଡୁରି ଚକୁଳି ପିଠା ଚିତଉ ଗଇଁଠା।
ଆରିଶା କାକରା ଛୁଂଚିପତ୍ର ପୋଡପିଠା ।
ଦୁତିଆ ଓଷାରେ ହୁଏ ଘାଣ୍ଟ ତରକାରୀ
ନଡିଆ ଗୁଡ ପକାଇ ସ୍ୱାଦୁ ତାର ଭାରି ।
ହବିଷାଳି ପାଇଁ ଲୋଡା ଡାଲମା ହବିଷ
ମୁଗଜାଇ କଦଳୀ ଯେ ଖଂବାଳୁ ବିଶେଷ ।
ଶାମ୍ବ ଦଶମୀର ଜାଉ ଧାନବିଲେ ନିଜ
ବଡବଡୁଆଙ୍କ ପାଇଁ ଖେଚୁଡିଟି ସଜ ।
ଧନୁ ମୁଆଁ ମକରରେ ମକର ଚାଉଳ
ମହାବିଷୁବର ବେଲପଣାଟି ପ୍ରବଳ ।
ମିଶାମିଶି ଛତୁଆଟି ଆହାକି ସୁଆଦ
ରଜ ପୋଡପିଠା ରଜପାନ ଆମ ବେଦ ।
ଜିଲାପି ଆବର ଖଜା କ୍ଷୀରଗଜା ଫେଣୀ
ଲବଂଗଲତା ଯେ ଲଡୁ ପାଣତୁଆ ପୁଣି ।
ବାରିପଦା ମାଂସମୁଢି ଢେଙ୍କାନାଳ ବରା
ବିକଳ କରଙ୍କ ସାଲେପୁର ରସଗୋଲା ।
କେନ୍ଦ୍ରାପଡାର ପ୍ରସିଦ୍ଧ ଅଟେ ରସାବଳୀ
ନୟାଗଡ ଛେନାପୋଡ ନିମାପଡା ଝିଲି ।
ଭଦ୍ରକ ଛେନା ମୁଡୁକି ରେମୁଣାର ଖିରା
ପୁରୀ ଖଜା ଗଜା ଫେଣୀ ମେଲା ଯେ ପସରା ।
କଟକର ଠୁଙ୍କାପୁରି ସାଥେ ଆଳୁକଷା
ବ୍ରହ୍ମପୁର ଦହିଭାତ ସମ୍ବର ସହସା ।
ପାହାଳର ପସରାରେ ସଜ ଋସଗୋଲା
ଯିଏ ନ ଖାଇଛି ସିଏ ମଣିଷ କି ହେଲା ।
ଦେଖାଶିଖା ଗୁଣ ଆମ ସବୁ ଦେଲା ସାରି
ଷୋଳଅଣା ଓଡିଆଟି ଗଲାଣି ବା ମରି ।
ଦୋସା ଉଥପମ ମ୍ୟାଗି ଇଡିଲି ସଂବର
ଚାଟ୍ ଗୁପଚୁପ ହେଲା ବେଦ ଜୀବନର ।
ସେକାଳ ପଖାଳ ଆଜି ଗଲାଣି ତ ଭାଇ
ପଖାଳ ଦେଖିଲେ ଭୂତ ଗୋଡାଉଛି ଧାଇଁ ।
ପିଠାପଣା ନାମଶୁଣି ନାସିକା କୁଂଚନ
ଫାଷ୍ଟଫୁଡରେ ଆମ ବଂଚୁଛି ଜୀବନ ।
ଫେରିଆସ ଭ୍ରାତା ଏବେ ଆପଣା ସଦନ
ପଡୋଶୀ ମୁଖକୁ ଚାହିଁ କାଟି ବାକି ଦିନ ?
ଆମ ପାଣିପାଗ ଚାହିଁ ପରଂପରା ଆମ
ତାକୁ ଏଡିଦେଲେ ଆମ କର୍ମ ହେବ ବାମ ।
ବିଶ୍ୱେଶ୍ୱର ମାଝୀ