ନ୍ୟାୟର ଦିବସ
ନ୍ୟାୟର ଦିବସ
● ନ୍ୟାୟର ଦିବସ
ଥିଲେ ଫୁରୁସତ ଲାଗିବ ଉଷତ
ଦରଦୀ ପରାଣେ ଆଜିର ଗୀତ
କିଏ ଥିଲେ କବି ତାଙ୍କ ମୁହଁ ଛବି
ପାଶୋରି ଗଲିଣି ମନରୁ ମିତ ।
ରଖନାହିଁ ଆଶା ସେ ଲେଖାର ଭାଷା
ବୁଝିବାରେ କେହି ସମର୍ଥ ଅଛ
ଆମ୍ବ ତ ଖାଇବ କି ଲାଭ ପାଇବ
କହିବ କି ଭାଇ ଗଣିଲେ ଗଛ ?
ସେ ଗୀତର ଗୁଣ ମନ ଦେଇ ଶୁଣ
ତା'ପରେ କବିଙ୍କୁ କରିବ ଠାବ
ଉଚ୍ଚ ଭାବ ଦେଖି ଓଡିଆରେ ଲେଖି
ଦେଇଛି ପୂରାଇ ସମାନ ଭାବ ।
ଆକାଶରୁ ବର୍ଷି ସନ୍ଧ୍ୟା ଆସେ ଖସି
ଜହ୍ନ ଜୋଛନାର କାକର ନେଇ
ସ୍ତବ୍ଧ ମହୀତଳ କରେ ସେ' ଶୀତଳ
ଭାବପୂର୍ଣ୍ଣ କିଛି ମାଧୁରୀ ଦେଇ ।
ମାଟିକୁ ଯେତିକି ଛୁଇଁଛି ସେତିକି
ଭାରତୀ ସମାନ ପବିତ୍ର ଧଳା
ବିଳାସ ମହଲେ ଲମ୍ପଟ ଗହଳେ
ସଇତାନ୍ ଭଳି କେତେକ କଳା ।
ଶୁଭେନାହିଁ ରବ ପକ୍ଷୀଏ ନୀରବ
ନିକଟେ ହେଉ ବା କେଉଁଠି ଦୂରେ
କଳା କୋଠରୀରେ ପୁଙ୍ଗୁଳା ଶରୀରେ
ନାଚେ କେହି ଯନ୍ତ୍ର ସଙ୍ଗୀତ ସୁରେ ।
ଘଣ୍ଟି ଯେବେ ବାଜେ ଆଳତି ବିରାଜେ
ଦେବାଳୟେ କିଏ ପ୍ରଦୀପ ଜାଳେ
ଧରା ଏ' ବିବଶ ନ୍ୟାୟର ଦିବସ
ପହଞ୍ଚି ନାହିଁ ତ ଅନ୍ତିମ କାଳେ !
ନିୟାମକ ବିଧି ଧର୍ମ ପ୍ରତିନିଧି
ଅନନ୍ତ ଶୟନୁ ନାହାନ୍ତି ଫେରି
ସେଥିପାଇଁ ନ୍ୟାୟ ହୋଇପାରେ ପ୍ରାୟ
ଆହୁରି ଅନେକ ଶତାବ୍ଦୀ ଡେରି ।
ସ୍ବୟଂ ହୋଇ ବିଜେ ଈଶ୍ୱର ତ ନିଜେ
ବିସ୍ତାରିବେ ନାହିଁ ହଜାରେ ହାତ
ସେଥିପାଇଁ କ୍ରୋଧେ ବିନାଶକ ବୋଧେ
ଅଦୃଶ୍ୟ ପ୍ରମାଣେ ହେଲେଣି ଜାତ ।
ସଞ୍ଜ ଆସେ ନିତି ବଢୁଥାଏ ଭୀତି
ଗରିବ ଆଖିରୁ ଶୁଖେନି ପାଣି
ହେ ସମାଲୋଚକ ଲାଗିଲେ ରୋଚକ
କବି କିଏ କୁହ ପାରିଲେ ଜାଣି ।
