ନୂଆ ସଞ୍ଜିବନୀ
ନୂଆ ସଞ୍ଜିବନୀ
କବିତା - ନୂଆ ସଞ୍ଜିବନୀ
ରଚନା - ପଞ୍ଚାନନ ଜେନା
ତାରିଖ -୧୮-୦୧-୨୦୨୬
+++++++++++++++++
ସମୟ ଶାଖାରେ
ପୁଣି ନୂଆ ଫୁଲ ଫୁଟିବ
ପୁରୁଣା ବର୍ଷର ଅଧାଗଢ଼ା ସ୍ବପ୍ନ
ପୁଣି କଡ଼ ଲେଉଟିବ
ନୂଆ ବର୍ଷର କାନ୍ଧରେ ବସି
ପୁଣି ଅସୁମାରୀ ଆଶା ଦାନା ବାନ୍ଧିବ
ହସ ଖୁସିର ଆସର
ହର୍ଷ ଉଲ୍ଲାସର ବାସର
ପୁଣି ସମ୍ଭାବନାର ଭୃଣ ଲାଗିବ
ମିଠା ମାଂସର ଭୁରି ଭୋଜନ
ବଣଭୋଜିର ସ୍ଵାଦ ସନ୍ଧାନ
ପୁଣି ବନ୍ଧୁମିଳନ ଗହଳ ଚହଳ ଦିଶିବ
ଫୋଲତୋଡ଼ା ଡ଼ାଇରୀ ମାଧ୍ୟମେ
କରମର୍ଦ୍ଦନ କରବଦ୍ଧ ପ୍ରଣାମେ ମୁରୁକି ହସ
ପୁଣି ଫଗୁଣେଇବ
ଜୀବନର କ୍ଷଣ କ୍ଷଣ ପୁଣି ହସିବ
ନୂଆ ବର୍ଷର ନୂଆ ଫର୍ଦ୍ଦରେ
ଜିତିବାର କାହାଣୀ ଲେଖା ଚାଲିବ
ଋତୁ ବଦଳିବା ପରି ବର୍ଷ ବି ବଦଳିବ
କ୍ୟାଲେଣ୍ଡର ପୃଷ୍ଠା ବି ଫଡ଼ଫଡେଇବ
ଜାନୁୟାରୀ ଏକ ତାରିଖର ଚିତ୍ର ବି ବଦଳିବ
କିନ୍ତୁ ପବିତ୍ର ଚରିତ୍ର ନ ବଦଳୁ
ଖୁସି ମିଳୁ ଅସୁମାରୀ
ଆମ ବନ୍ଧୁତା ହେଉ ନିବିଡ଼ ସର୍ବୋପରି
ନୂଆବର୍ଷ ତ ଆସିବ ଯିବ
ଆମର ମିତ୍ରତା ରହିବ ରହିଥିବ ତଦୋପରି
ଚିରହରିତ ପର୍ଣ୍ଣ ପଲ୍ଲବରେ ବନ୍ଧା ଛନ୍ଦା
କମନୀୟ କସ୍ତୁରି ପରି ମହକିତ ବଲ୍ଲରୀ
ମହନୀୟ ସର୍ବରୀ ପରି ବନ୍ଦନୀୟ ମାଧୁରୀ
ନୀଳାଚଳନାଥଙ୍କ ଚରଣ କମଳେ
ଏତିକି ମାଗୁଣି ମୋର
ଦୀନ ହୀନ ବିନୟାବନର
ଗୁହାରୀ ଶୁଣିବ ଧୀର
ସ୍ୱାସ୍ଥ୍ୟ ହିଁ ହେଉ ଶ୍ରେଷ୍ଠ ସଂପଦ
ବନ୍ଧୁତା ହିଁ ହେଉ ଶ୍ରେଷ୍ଠ ଔଷଧ
ଶବ୍ଦ ହିଁ ହେଉ ଶ୍ରେଷ୍ଠ ସଂବାଦ
ସମ୍ଭବରୁ ସମ୍ଭାବନା ପଥରେ
ସମସ୍ୟାରୁ ସମାଧାନ ପନ୍ଥାରେ
ଅର୍ବାଚୀନରୁ ସ୍ୱାଧୀନ ମାର୍ଗରେ
ମାନବସମ୍ବଳ ହେଉ ଅଭିମନ୍ତ୍ରୀତ
ନୂଆ ବର୍ଷରେ ନୂଆ ସଞ୍ଜିବନୀ କଳ୍ପନା ପ୍ରସୂତ
