ନଶ୍ବର ଶରୀର
ନଶ୍ବର ଶରୀର
ନଶ୍ବର ଶରୀର ନୁହଁଇ କେବଳ
କାମନା ବାସନା ବସ୍ତୁ ଭୋଗର
ମହତ ଉଦ୍ଦେଶ୍ୟ ରଖି ଜଗଦୀଶ
ଚେତନେ ଚେତନା ଜ୍ଞାନ ସମ୍ଭାର ।
ତାକୁ ତୋଳି ଧରି ପଥ ଅନୁସରି
ଠିକଣା ଥାନରେ ପହଞ୍ଚେ କେହି
ହେଲେ ବୃନ୍ତଚ୍ୟୁତ ଝଡ଼ା ଫୁଲ ସମ
ଅଧା ବାଟରେ ମଉଳି ପଡ଼ଇ ।
ପଞ୍ଚ ଇନ୍ଦ୍ରିୟର ସତ୍ ବ୍ୟବହାର
କରିବାକୁ ଯିଏ ଥାଏ ଉତ୍ସାହୀ
ବିଭୁଙ୍କ କରୁଣା ଝରର ଝରଣା
ଝଲମଲ ଦିଶେ ତାହାରି ପାଇଁଁ ।
ଅଶେଷ ସୁକର୍ମ ଦେହରେ ସାଧନ
ଉପହାର ଦେଇଛନ୍ତି ଈଶ୍ବର
ଖଞ୍ଜି ଦେଇଛନ୍ତି ହସ୍ତ ଗୋଡ଼ ପାଦ
କର୍ଣ୍ଣ ଚକ୍ଷୁ ସହ ବୁଦ୍ଧି ଅପାର ।
ସୁସ୍ଥ ମସ୍ତିଷ୍କରେ ଯେତେ କର୍ମ ସାଧୁ
ସବୁ ସଂସାରର ମଙ୍ଗଳ ପାଇଁ
ଅପକର୍ମ ଯେତେ ଜଗତ ଅହିତେ
ଲୋଭ କାମନାରେ ମନ ସାଧଇ ।
ସାଧିବା ପୂର୍ବରୁ ଭାବିବା ନୁହେଁ କି
କେତେ ଉପକାର ଦେଶ ଦଶର
ସେହି ପ୍ରୟାସଟି ବୃଥା ନୁହଁଇ କି
ଯାହା କ୍ଷତି କରେ ଆନ ନିଜର ।
ନଶ୍ବର ଶରୀର ମାଧ୍ୟମ କେବଳ
ଜୀଇଁ ରହିବାକୁ ନାମ ମରତେ
ସେଥିପାଇଁ ବାଛି ବାଛି କର୍ମ କର
ଯାହା ନେଇଯିବ ମୁକତି ପଥେ ।