ଓଢଣୀ
ଓଢଣୀ
ନାକଯାଏଁ ତାର ଓଢଣୀ ରହିଛି
ମାମୁଁ ଆଣନ୍ତି ଚଲାଇ ।
ଆଗକୁ ଚାହୁଁଛି ପଥ ଦିଶୁନାହିଁ
ବେଦୀମୁହାଁ ଅଛି ହୋଇ ।୧।
ନୂଆ ବୋହୁ ପରା ସାଜିଅଛି ସିଏ
ବିବାହ ଆଜି ତାହାର ।
ମୁଖ କେ ଦେଖିବ ଟାଣୁଛି ଓଢଣୀ
ଲାଲ ଛିଟ ରଙ୍ଗ ତାର ।୨।
ବସନ ଭୂଷଣ ଠାରୁ ଏ ଓଢଣୀ
ଲକ୍ଷେ ଗୁଣ ମହୀୟାନ ।
ଓଡ଼ିଆ ଘରର ମାନ ସନମାନ
ଲଜ୍ଜା ନାରୀର ଭୂଷଣ ୲୩।
ଚନ୍ଦର ଉଦିଆ ମୁଖଟି ଯାଇଛି
ଓଢଣୀ ଭିତରେ ରହି ।
ଅସୂର୍ଯ୍ୟଂପଶ୍ୟା ସେ ଥିଲା ସିନା ଆଗେ
ଏବେ ତ ସେକଥା ନାହିଁ ।୪।
ବୋହୁକୁ ଟିକିଏ ଦେଖିବା କହିଲେ
ଗାଁ ଲୋକମାନେ ଯେବେ ।
ଶାଶୁ ଆସି ଟିକେ ଓଢଣୀକୁ ଟେକେ
କହେ ଦେଖ ବୋହୁ ଏବେ ।୫।
ମୁହଁଚୁହାଁ ଦେଇ ବୋହୁକୁ ବିଦାୟ
ନିଅନ୍ତି ଘରୁ ଅତିଥି ।
ଓଢଣୀ ଭିତରେ ରହିଥାଏ ବୋହୁ
ଧନ୍ୟ ଆମର ସଂସ୍କୃତି ।୬।
ହତଶିରୀ ହୁଏ ଆଜି କିଏ କହେ
ଭିଡିଓ ହୋଇବ ଶୁଣ ।
ମୁଣ୍ଡରୁ ଓଢଣୀ କାଢିଦିଅ ଫଟୋ
ଉଠିବ ଏବେ ତକ୍ଷଣ ।୭।
ଓଢଣୀଟି ଥିଲେ କି ସୁନ୍ଦର ଦିଶେ
ବୋହୁ ଥରେ ଦେଖ ଆସି ।
ବିନା ଓଢଣୀରେ ଫୁଙ୍ଗୁଳା ଲପନ
ଲଜ୍ଜା ଯାଏ କାହିଁ ଭାସି ।୮।
