କୂଳବଧୁ
କୂଳବଧୁ
ସିନ୍ଦୁରା ଫାଟିଲା ସୁରୁଜ ଉଇଁଲା
କାକ ରାବିଦେଲା କାଆ
କୁକୁଟ ରଡିରେ ନିଦ୍ରା ଭାଜିଗଲା
ଶିଶୁଟି ଧରିଲା ରାଆ ।
ଧୀରେ ଧୀରେ ରବି ଉର୍ଦ୍ଧଗାମୀ ହେଲେ
ଦିବସ ହୋଇଲା ଆସି
ଆହାର ସନ୍ଧାନେ ନୀଡ଼ ଛାଡ଼ି ହେଲେ
ବିହଙ୍ଗ ଯେ ପରବାସୀ ।
ବାସୀ ପାଇଟିକି ସାରି ନବବଧୂ
ନଣନ୍ଦ ସାଥିରେ ମିଶି
ପୋଖରୀ ହୁଡ଼ାରେ ପାଦ ଘଷୁ ଅଛି
ପଥର ଉପରେ ବସି ।
ପାଦ ଥାପି ଥାପି ଚାଲିଥାଏ ସିଏ
ଶାଶୁ ନଣନ୍ଦଙ୍କୁ ଡରି
ସଂସାର ହାଟରେ ପାଦ ଖସି ଗଲେ
ପଡ଼ିଯାଏ ସତେ ହୁରି ।
ଯେତେ ପରକାରେ ବୁଝାଇ କହିଲେ
ବୋହୂ ନୁହେଁ ଝିଅ ପରି
ଶାଶୁ ଭୁଲିଯାଏ ଦିନେ ନିଜେ ସିଏ
ବୋହୂ ଥିଲା ତ କାହାରି ।
ସେଥିପାଇଁ କହେ ଏହି ଦୀନ ଦାସ
ନବ ବଧୁ ଶୁଣ ଶୁଣ
ମନେ ରଖିଥିବ କେବେ ନ ଭୁଲିବ
ଶାଶୁଙ୍କର ଭଲ ଗୁଣ ।
ମାଆ ପରି ତାଙ୍କୁ ଦେଖୁଥିବ ସଦା
ନ ଧରିବ ତାଙ୍କ କଥା
ସବୁ ସହିଯିବ ଦେବନାହିଁ କେବେ
ତାଙ୍କରି ମନରେ ବ୍ୟଥା ।
ଘୃଣାକୁ ତାଙ୍କର ଅମୃତ ସମାନ
ଆଦରି ନେବାକୁ ହେବ
ତାଙ୍କ ବୋଲ ମାନି କାର୍ଯ୍ୟ କଲେ ଦିନେ
ପ୍ରିୟ ପାତ୍ରୀ ହୋଇଯିବ ।
କୂଳବଧୁ ତୁମେ କୂଳକୁ ଉଜ୍ଜଳ
କରିବା ତୁମର ଧର୍ମ
ଏକଥା ବିଚାରି ହୃଦୟ ମଧ୍ୟରେ
କରୁଥିବ ସଦା କର୍ମ ।
